ୟୁପିରେ ସପାକୁ ଝଟ୍‌କା, ପଂଜାବରେ ଆପ୍‌ ହାରିଲା: ଉପନିର୍ବାଚନରେ ବିଜେପିର ବାଜିମାତ

ତ୍ରିପୁରାରେ ବିଜେପିକୁ ୩, କଂଗ୍ରେସକୁ ୧ ଆସନ

ନୂଆଦିଲ୍ଲୀ: ତିନି ଲୋକସଭା ଆସନ ଏବଂ ୭ ବିଧାନସଭା ଆସନରେ ହୋଇଥିବା ନିର୍ବାଚନ ଫଳାଫଳ ଆଜି ଘୋଷଣା ହୋଇଛି। ଉତ୍ତରପ୍ରଦେଶର ରାମପୁର ଓ ଆଜମଗଡ଼ ଲୋକସଭା ଆସନ ସମାଜବାଦୀ ପାର୍ଟି (ସପା)ର ଗଡ଼ ଭା‌ବେ ପରିଗଣିତ ହେଉଥିବା ବେଳେ ଆଜି ବିଜେପି ଏହି ଦୁଇ ଆସନରେ ବିଜୟୀ ହୋଇଛି। ଆଜମଗଡ଼ରେ ଦିନେଶ ଲାଲ ଯାଦବ ନିରହୁଆ ବିଜୟୀ ହୋଇଛନ୍ତି। ଏହି ଆସନରେ ସେ ସପା ପ୍ରାର୍ଥୀ ତଥା ଅଖିଳେଶ ଯାଦବଙ୍କ କାକା ପୁଅ ଭାଇ ଧର୍ମେନ୍ଦ୍ର ଯାଦବଙ୍କୁ ହରାଇଛନ୍ତି। ୩ ବର୍ଷ ତଳେ ୨୦୧୯ରେ ନିର୍ବାଚନରେ ନିରହୁଆଙ୍କୁ ଅଖିଳେଶ ୨,୫୯,୮୭୪ ଭୋଟ୍‌ ବ୍ୟବଧାନରେ ହରାଇଥିଲେ। ଆଜି ନିରହୁଆଙ୍କ ବିଜୟ ସହ ସମାଜବାଦୀ ପାର୍ଟିର ଏହି ଦୁର୍ଗ ପତନ ହୋଇଥିବା କୁହାଯାଉଛି। ନିରହୁଆଙ୍କୁ ୩୧୨୭୨୮ ଭୋଟ୍‌ ମିଳିଥିବା ବେଳେ ସପା ପ୍ରାର୍ଥୀଙ୍କୁ ୩୦୪୦୮୯ ଭୋଟ୍‌ ମିଳିଛି। ତୃତୀୟ ସ୍ଥାନରେ ଥିବା ଗୁଡ୍ଡୁ ଜମାଲିଙ୍କୁ ୨୬୬୨୧୦ ଭୋଟ୍‌ ମିଳିଛି। ସେହିଭଳି ରାମପୁର ଆସନରେ ଘନଶ୍ୟମ ଲୋଧି ୪୦ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସପା ନେତା ଆଜମ ଖାନ୍‌ଙ୍କ ଗଡ଼ ଥିବା ଏହି ଆସନରେ ବିଜେପିର ବଡ଼ ବିଜୟ ସପା ପାଇଁ ଆଉ ଏକ ବଡ଼ ଝଟ୍‌କା ସାବ୍ୟସ୍ତ ହୋଇଛି। ଏହି ଆସନରୁ ଆଜମ ଖାନ୍‌ ଇସ୍ତଫା ଦେଇଥିଲେ ଏବଂ ସପା ପ୍ରାର୍ଥୀଙ୍କ ବିଜୟ ପାଇଁ ବ୍ୟାପକ ପ୍ରୟାସ କରିଥିଲେ।

ତ୍ରିପୁରାରେ ନିର୍ବାଚନ ହୋଇଥିବା ୪ଟି ବିଧାନସଭା ଆସନରୁ ବିଜେପି ୩ଟିରେ ବିଜୟୀ ହୋଇଥିବା ବେଳେ ଆଉ ଏକ ଆସନ କଂଗ୍ରେସକୁ ମିଳିଛି। ମୁଖ୍ୟମନ୍ତ୍ରୀ ମାଣିକ ଶାହ ୬ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ପଂଜାବରେ ଆପ୍‌କୁ ବଡ଼ ଝଟ୍‌କା ଲାଗିଛି। ଶିରୋମଣି ଅକାଳି ଦଳ (ଅମୃତସର) ପ୍ରାର୍ଥୀ ସିମରନଜିତ ସିଂହ ମାନ ସଂଗରୁର୍‌ ଲୋକସଭା ଆସନରୁ ୫ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ଏହି ଆସନ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଗଡ଼ ରହିଥିଲା। ଦିଲ୍ଲୀରେ ଆମ ଆଦ୍‌ମି ପାର୍ଟି ନେତା ଦୁର୍ଗେଶ ପାଠକ ରାଜେନ୍ଦ୍ର ନଗର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ବିଜେପିର ରାଜେଶ ଭାଟିଆଙ୍କୁ ୧୧ ହଜାରରୁ ଅଧିକ ଭୋଟ୍‌ରେ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଆତମକୁର ବିଧାନସଭା ଆସନରେ ୱାଇଏସ୍‌ଆର୍‌ କଂଗ୍ରେସ ପ୍ରାର୍ଥୀ ଏମ୍‌ ବିକ୍ରମ ରେଡ୍ଡି ବିଜୟୀ ହୋଇଛନ୍ତି। ଝାଡ଼ଖଣ୍ଡର ମନ୍ଦାର ଆସନରୁ କଂଗ୍ରେସ ପ୍ରାର୍ଥୀ ଶିଳ୍ପୀ ନେହା ତିର୍କୀ ବିଜୟୀ ହୋଇଛନ୍ତି।

ସମ୍ବନ୍ଧିତ ଖବର