ଉତ୍ତରାଖଣ୍ଡରେ ଧାମୀ, ଗୋଆରେ ସାୱନ୍ତ ମୁଖ୍ୟମନ୍ତ୍ରୀ ରହିବେ

ଡେରାଡୁନ୍‌: ପୁଷ୍କର ସିଂହ ଧାମୀ ପୁଣିଥରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ। ଧାମୀ ଖତିମା ଆସନରୁ ନିର୍ବାଚନ ହାରିଥିଲେ ସୁଦ୍ଧା ତାଙ୍କୁ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେବାପାଇଁ ସୁଯୋଗ ମିଳିଛି। ଡେରାଡୁନ୍‌ରେ ଆଜି ବିଜେପି ମୁଖ୍ୟାଳୟ‌ରେ ହୋଇଥିବା ବିଧା‌ୟକ ଦଳ ବୈଠକ ପରେ ଏହି ଘୋଷଣା ହୋଇଛି। ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବରିଷ୍ଠ ନେତ୍ରୀ ମିନାକ୍ଷୀ ଲେଖି ଉପସ୍ଥିତ ଥିଲେ। ଆଜିର ଏହି ଘୋଷଣା ପରେ ଦୀର୍ଘ ୧୧ ଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ପୁଷ୍କର ସିଂହ ଧାମୀ ବିଧାୟକ ଦଳ ବୈଠକର ନେତା ନିର୍ବାଚିତ ହୋଇଛନ୍ତି ଏବଂ ତାଙ୍କ ନେତୃତ୍ବ ଅଧୀନରେ ଉତ୍ତରାଖଣ୍ଡରେ ବ୍ୟାପକ ବିକାଶ ଆ‌ସିବ ବୋଲି ରାଜନାଥ ସିଂହ କହିଛନ୍ତି। ମିଳିଥିବା ସୂଚନାନୁଯାୟୀ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ସରକାର ଗଠନ ସଂକ୍ରାନ୍ତରେ ହୋଇଥିବା ‌‌ବୈଠକରେ ଏହି ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିଲା। ଧାମୀ ତାଙ୍କ ନିଜ ନିର୍ବାଚନମଣ୍ଡଳୀରୁ ହାରିଥିଲେ ସୁଦ୍ଧା ଉତ୍ତରାଖଣ୍ଡରେ ବିଜେପିର ବିପୁଳ ବିଜୟ ପାଇଁ କିଛି ବରିଷ୍ଠ ନେତା ଧାମୀଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି। ପୁଷ୍କର ସିଂହ ଧାମୀ ପୁନର୍ବାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସେମାନେ ଚାହିଥିଲେ। ତେଣୁ ଧାମୀଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ କରାଯାଇଛି।

ଉତ୍ତରାଖଣ୍ଡରେ ୭୦ ବିଧାନସଭା ଆସନରୁ ବିଜେପି ୪୭ରେ ଜିତି ଅପ୍ରତ୍ୟାଶିତ ବିଜୟ ହାସଲ କରିଥିଲା। କିନ୍ତୁ ଧାମୀ ନିଜେ ନିର୍ବାଚନ ହାରି ଯାଇଥିବାରୁ ‌ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ କି ନା’ ସେନେଇ ଦ୍ବନ୍ଦ୍ବ ରହିଥିଲା। ଆସନ୍ତା ୨୩ ତାରିଖରେ ସେ ଶପଥ ନେବେ। ପ୍ରମୋଦ ସାୱନ୍ତ ପୁଣିଥରେ ଗୋଆ ମୁଖ୍ୟମନ୍ତ୍ରୀ ହେବେ। ବିଜେପିର ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ। ତୋମର କହିଛନ୍ତି, ସର୍ବସମ୍ମତି କ୍ରମେ ସାୱନ୍ତଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି। ଲଗାତାର ତୃତୀୟ ଥର ପାଇଁ ବିଜେପି ଗୋଆରେ କ୍ଷମତାରେ ରହିବ। ଗୋଆରେ ବିଧାୟକ ଦଳ ନେତା ଘୋଷିତ ହେବାପରେ ପ୍ରମୋଦ ସାୱନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଉପରେ ବିଶ୍ବାସ ରଖିଥିବା ଅନ୍ୟ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଜେପି ଓ ଏମଜିପି ବିଧାୟକମାନେ ଆଜି ରାଜ୍ୟପାଳ ପିଏସ ଶ୍ରୀଧରନ ପିଲାଇଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର