ଉତ୍ତରାଖଣ୍ଡରେ ମୃତ୍ୟୁସଂଖ୍ୟା ୫୨କୁ ବୃଦ୍ଧି, ୧୧ ନିଖୋଜ

କେରଳରେ ମୃତ୍ୟୁସଂଖ୍ୟା ୩୯

ନୂଆଦିଲ୍ଲୀ: ଉତ୍ତାରଖଣ୍ଡ ଏବଂ କେରଳରେ ହୋଇଥିବା ଭୟଙ୍କର ବର୍ଷା, ବନ୍ୟା, ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଉତ୍ତରାଖଣ୍ଡରେ ମୃତ୍ୟୁସଂଖ୍ୟା ୫୨କୁ ବୃଦ୍ଧି ପାଇଛି। ଏବେ ବି ଅତିକମ୍‌ରେ ୧୧ ଜଣ ନିଖୋଜ ଅଛନ୍ତି। ମୃତ୍ୟୁସଂଖ୍ୟା ନେଇ ଉତ୍ତରାଖଣ୍ଡ ସରକାର ଆଜି ସଂଶୋଧିତ ତାଲିକା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଜି ସବୁଠୁ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳ କୁମାୟୁନ୍‌ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ବିଭୀଷିକା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ସ୍ବାଭାବିକତା ଫେରିବା ପାଇଁ ସମୟ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରିଲିଫ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ୧୦ କୋଟି ଲେଖାଏଁ ରାଶି ମଞ୍ଜୁର କରିଛନ୍ତି। ବିପର୍ଯ୍ୟୟରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ସଂପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁର କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଗତକାଲି ଘୋଷଣା କରିଥିଲେ।

ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ଏନଡିଆରଏଫ୍‌ ଠାରୁ ଆରମ୍ଭ କରି ଏକାଧିକ ସଂସ୍ଥା ନିୟୋଜିତ ହୋଇଛନ୍ତି। ଏନ୍‌ଡିଆର୍‌ଏଫ୍‌ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଆଜି ସୁଦ୍ଧା ୧୩୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଟିମ୍ ସଂଖ୍ୟା ୧୫ରୁ ୧୭କୁ ବୃଦ୍ଧି କରାଯାଇଛି। ପଡ଼ୋଶୀ ରାଜ୍ୟ ହିମାଚଳ ପ୍ରଦେଶର ଚିତ୍‌କୁଲ୍‌କୁ ଟ୍ରେକିଂ ପାଇଁ ଯାଇଥିବା ୮ ଜଣ ଟ୍ରେକର ଏବଂ ୩ ଜଣ ରୋଷେୟା ନିଖୋଜ ଅଛନ୍ତି ବୋଲି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର ପଟୱାଲ କହିଛନ୍ତି। ୮ ଜଣ ଟ୍ରେକରଙ୍କ ମଧ୍ୟରୁ ୭ ଜଣ କୋଲକାତାର ହୋଇଥିବାବେଳେ ଜଣେ ଦିଲ୍ଲୀର ବୋଲି ଜଣାପଡ଼ିଛି। । ଗତ ୧୧ ତାରିଖରେ ସେମାନେ ହର୍ଷିଲରୁ ଚିତ୍‌କୁଲକୁ ଗସ୍ତ କରିଥିଳେ। ୧୯ ତାରିଖରେ ଚିତ୍‌କୁଲ୍‌ରେ ପହଞ୍ଚିବା ନେଇ ଅନୁମାନ ରହିଥିଲା। ତେବେ ସେମାନେ ଗତକାଲି ଚିତ୍‌କୁଲ୍‌ରେ ପହଞ୍ଚିନାହାନ୍ତି। ଏଥିପାଇଁ ଟ୍ରେକ ସଂଗଠନ ପକ୍ଷରୁ ଉତ୍ତରକାଶୀ ଜିଲ୍ଲା ବିପର୍ଯ୍ୟୟ କାର୍ଯ୍ୟାଳୟକୁ ସୂଚନା ଦେଇଛନ୍ତି ବୋଲି ପଟୱାଲ କହିଛନ୍ତି। ଟ୍ରେକରମାନଙ୍କୁ ଠାବ କରିବା ପାଇଁ ହେଲିକପ୍ଟରରେ ଏସଡିଆରଏଫ ଟିମ ଯିବାପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ‌ପର୍ଯ୍ୟଟନ ସହର ନୈନିତାଲର ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। କିନ୍ତୁ ରାଣୀକ୍ଷେତ ଏବଂ ଅଲମୋରା ଆଜି ଦ୍ବିତୀୟ ଦିନ ପାଇଁ ବାହ୍ୟଜଗତରୁ ବିଚ୍ଛିନ୍ନ ରହିଛି।

ବିପର୍ଯ୍ୟୟ ବେଳେ ଉତ୍ତରାଖଣ୍ଡକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଡେରାଡୁନ ଯାଇ ସେଠାରେ ପରିସ୍ଥିତିର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ଆଜିଠାରୁ ବର୍ଷା ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଚଳିତ ସପ୍ତାହର ଅବଶିଷ୍ଟ ସମୟ ପାଗ ଭଲ ରହିବ। କେରଳରେ ବର୍ଷା, ବନ୍ୟା ଏବଂ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୯ରେ ପହଞ୍ଚିଛି। ଏଥିରେ ୨୧୭ ଜଣଙ୍କ ଘର ଭାଙ୍ଗିଯାଇଛି। ଚଳିତମାସ ୧ ତାରିଖରୁ ୧୯ ତାରିଖ ମଧ୍ୟରେ ରାଜ୍ୟରେ ୧୩୫ ପ୍ରତିଶତ ଅଧିକ ବର୍ଷା ହୋଇଛି। ପଶ୍ଚିମବଙ୍ଗ ଏବଂ ସିକିମରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଜୀବନଯାତ୍ରା ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର