ନୂଆଦିଲ୍ଲୀ: ହିଂସା-ପ୍ରପୀଡ଼ିତ ମଣିପୁରରେ ପ୍ରାୟ ୪୦୦୦ ଗ୍ରାମବାସୀଙ୍କୁ ଉଦ୍ଧ‌ାର କରି ସେନା ଓ ଆସାମ୍‌ ରାଇଫଲ୍‌ ସେମାନଙ୍କର ‘କଣ୍ଟିଜେନ୍‌ସି ଅପରେଟିଙ୍ଗ୍‌ ବେସ୍‌’ ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ପ୍ରାନ୍ତରେ ଥିବା କେ‌ତେକ ଅନୁଷ୍ଠାନରେ ଆଶ୍ରୟ ଦେଇଛନ୍ତି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

Advertisment

ଏହାଛଡ଼ା, ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ସେନା ଯବାନମାନେ ସେ ସବୁ ଅଞ୍ଚଳରେ ଫ୍ଲାଗ୍‌ ମାର୍ଚ ମଧ୍ୟ କରୁଛନ୍ତି ବୋଲି ଜଣେ ସେନା ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି।

ସୂଚନାଯୋଗ୍ୟ, ଅନୁସୂଚିତ ଜନଜାତି ପାହ୍ୟା ପାଇଁ ଅଣଆଦିବାସୀ ମଣିପୁରୀମାନଙ୍କ ଦାବି ବିରୋଧରେ ଚୁରାଚାନ୍ଦପୁର ଅଞ୍ଚଳର ତୋର୍‌ବୁଙ୍ଗ୍‌ରେ ‘ଅଲ୍‌ ଟ୍ରାଇବାଲ୍‌ ଷ୍ଟୁଡେଣ୍ଟ୍‌ ୟୁନିୟନ୍‌ ମଣିପୁର’ (ଏଟିଏସ୍‌ୟୁଏମ୍‌) ଡାକରା ଦେଇଥିବା ‘ଟ୍ରାଇବାଲ୍‌ ସଲିଡାରିଟି ମାର୍ଚ’ ସମୟରେ ହିଂସାକାଣ୍ଡ ବ୍ୟାପିବାରୁ ଜିଲ୍ଲାର କେତେକ ପ୍ରଭାବିତ ଅଞ୍ଚଳରେ ସେନା ଓ ଆସାମ ରାଇଫଲ୍‌ ଯବାନମାନଙ୍କୁ ମୁତୟନ କରାଯାଇଥିଲା।

publive-image Image Courtesy of India Today

ହଜାର ହଜାର ପ୍ରତିବାଦକାରୀ ଭାଗ ନେଇଥିବା ଏହି ରାଲି ଚାଲିଥିବା ବେଳେ ତୋରବୁଙ୍ଗ୍‌ ଅଞ୍ଚଳରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ହିଂସାର ସୂତ୍ରପାତ ହୋଇଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସ୍ବାଭାବିକ କରିବାକୁ ବୁଧବାର ରାତିରେ ସେନା ‘ଏରିଆ ଡୋମିନେସନ୍‌ ଏକ୍ସର୍‌ସାଇଜେସ୍‌’ କରିଥିଲା। ମଣିପୁର ସରକାର ମଧ୍ୟ ଆସନ୍ତା ୫ ଦିନ ପାଇଁ ସମଗ୍ର ରାଜ୍ୟରେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରାଇବା ସହିତ କେତେକ ଜିଲ୍ଲାରେ ହିଂସାକାଣ୍ଡ ପରେ ପରେ ୧୪୪ ଧାରା ଜାରି କରିଛନ୍ତି।