ପୁଣେ: ପୁଣେ ରେଳଷ୍ଟେସନ ପ୍ଲାଟଫର୍ମରେ ଜଣେ ପୁଲିସ କର୍ମଚାରୀ କିପରି ଶୋଇଥିବା ଲୋକଙ୍କ ଉପରେ ପାଣି ଢ଼ାଳି ସେମାନଙ୍କୁ ଉଠାଇବାକୁ ଚେଷ୍ଟା କରିଛନ୍ତି ତାହା ଏବେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଯିଏ ଏହି ଭିଡିଓକୁ ଦେଖୁଛି ଏହା ଅତ୍ୟନ୍ତ ଦୁଃଖଦାୟକ ଓ ଲଜ୍ଜାଜନକ ବୋଲି କହୁଛି ।
ଟ୍ୱିଟରରେ ରୁପେନ୍ ଚୌଧୁରୀ ନାମକ ଜଣେ ବ୍ୟବହାରକାରୀ ଶୁକ୍ରବାର ଦିନ ଏକ ସର୍ଟ କ୍ଲିପ୍ ସେୟାର କରିଛନ୍ତି । ଭିଡିଓରେ, ଜଣେ ସରକାରୀ ରେଳ ପୁଲିସ କର୍ମଚାରୀଙ୍କୁ ରେଳଷ୍ଟେସନ ପ୍ଲାଟଫର୍ମରେ ଶୋଇଥିବା ଲୋକଙ୍କ ଉପରେ ଏକ ପ୍ଲାଷ୍ଟିକ ବୋତଲରେ ପାଣି ଛିଞ୍ଚୁଥିବାର ଦେଖାଯାଇଛି । ଏହି କ୍ଲିପକୁ ଦେଖି ଜଣେ ବ୍ୟବହାରକାରୀ ଲେଖିଛନ୍ତି , "ମରିଗଲା ମାନବିକତା। ପୁଣେ ରେଳଷ୍ଟେସନ୍।"
ଏହାପରେ ପୁଣେର ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ) ଇନ୍ଦୁ ଦୁବେଙ୍କର ମଧ୍ୟ ଏହି ଭିଡିଓ ଦୃଷ୍ଟି ଆକର୍ଷଣ କରିଛି । ସେ କହିଛନ୍ତି, ପ୍ଲାଟଫର୍ମରେ କିଛି ଯାତ୍ରୀ ଶୋଇବା ଦ୍ୱାରା ଅନ୍ୟମାନଙ୍କୁ ଅସୁବିଧା ହୋଇଥାଏ। କିନ୍ତୁ ଏହାକୁ ଯେଉଁଭଳି ଭାବେ ପରିଚାଳନା କରାଯାଇଛି ତାହା ଯାତ୍ରୀମାନଙ୍କ ପ୍ରତି ଉପଯୁକ୍ତ ବ୍ୟବହାର ନୁହେଁ । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯାତ୍ରୀମାନଙ୍କୁ ସମ୍ମାନ ଦେବା ସହ ଭଲ ବ୍ୟବହାର କରିବାକୁ ସମ୍ପୃକ୍ତ କର୍ମଚାରୀଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯାଇଛି ।
ବର୍ତ୍ତମାନ ଭିଡିଓଟିରେ ଏବେ ୨ ମିଲିୟନରୁ ଅଧିକ ଭ୍ୟୁଜ ଏବଂ ୧୧,୦୦୦ରୁ ଅଧିକ ଲାଇକ୍ ହୋଇଛି । ତେବେ କିଛି ବ୍ୟବହାରକାରୀ ଏହି ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି ଏବଂ ଆଉ କେତେ ଜଣ ମଧ୍ୟ ପୁଲିସ କର୍ମଚାରୀଙ୍କ ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି ।