ଧରମପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଗୁଜରାଟର ଭାଲସାଦ ଜିଲ୍ଲାର ଧରମପୁରଠାରେ ଶ୍ରୀମଦ୍ ରାଜଚନ୍ଦ୍ର ମିଶନର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ମଧ୍ୟ ଉପସ୍ଥିତ ଥିଲେ।
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡାକ୍ତରଖାନା ପ୍ରକଳ୍ପ ମହିଳା ତଥା ସମାଜର ଅନ୍ୟାନ୍ୟ ଅଭାବୀ ବର୍ଗଙ୍କ ପାଇଁ ମହତ୍ତ୍ବପୂର୍ଣ୍ଣ ସେବା ଯୋଗାଇବ। ସେ ଶ୍ରୀମଦ୍ ରାଜଚନ୍ଦ୍ର ମିଶନର ନିରବ ସେବାର ଆବେଗକୁ ପ୍ରଶଂସା କରିଥିଲେ। ଗୁଜୁରାଟର ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂଜ୍ୟ ଗୁରୁଦେବଙ୍କ ନେତୃତ୍ୱରେ ଶ୍ରୀମଦ୍ ରାଜଚନ୍ଦ୍ର ମିଶନ ଦ୍ୱାରା କରାଯାଇଥିବା ପ୍ରଶଂସନୀୟ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଗରିବଙ୍କ ସେବା ପ୍ରତି ମିଶନର ପ୍ରତିବଦ୍ଧତା ନୂତନ ଡାକ୍ତରଖାନା ଦ୍ୱାରା ଦୃଢ ହୋଇଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶ୍ରୀମଦ୍ ରାଜଚନ୍ଦ୍ର ଜୀ ଏପରି ଜଣେ ସାଧୁ ଥିଲେ ଯାହାଙ୍କର ମହାନ ଅବଦାନ ଏହି ଦେଶର ଇତିହାସର ଏକ ଅଂଶ। ମହାତ୍ମା ଗାନ୍ଧୀ ବି ତାଙ୍କର ପ୍ରଶଂସା କରିଛନ୍ତି ବୋଲି ମୋଦୀ କହିଥିଲେ। ଶ୍ରୀମଦ୍ ରାଜଚନ୍ଦ୍ର ଜୀ ଶିକ୍ଷା ଓ କୌଶଳ ବିକାଶ ମାଧ୍ୟମରେ ଝିଅମାନଙ୍କ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଉଥିଲେ। ଆଜାଦୀ କା ଅମୃତ ମହୋତ୍ସବରେ ଜାତୀୟ ଶକ୍ତି ଆକାରରେ ଦେଶରେ ମହିଳା ଶକ୍ତିକୁ ସାମ୍ନାକୁ ଆଣିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଭାଲସାଦର ଧରମପୁରରେ ନିର୍ମିତ ଶ୍ରୀମଦ୍ ରାଜଚନ୍ଦ୍ର ଡାକ୍ତରଖାନାର ପ୍ରକଳ୍ପ ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା। ଏହା ଏକ ୨୫୦ ଶଯ୍ୟା ବିଶିଷ୍ଟ ବହୁମୁଖୀ ଡାକ୍ତରଖାନା ଯାହାକି ଅତ୍ୟାଧୁନିକ ଚିକିତ୍ସା ଭିତ୍ତିଭୂମି ସହିତ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇବ, ବିଶେଷ କରି ଦକ୍ଷିଣ ଗୁଜୁରାଟ ଅଞ୍ଚଳର ଲୋକଙ୍କୁ। ଶ୍ରୀମଦ୍ ରାଜଚନ୍ଦ୍ର ପ୍ରାଣୀ ଚିକିତ୍ସାଳୟ ୧୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ହେବାକୁ ଯାଉଛି ଏବଂ ପ୍ରାୟ ୭୦ କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯିବ। ମହିଳାମାନଙ୍କ ପାଇଁ ଶ୍ରୀମଦ୍ ରାଜଚନ୍ଦ୍ର ଉତ୍କର୍ଷ କେନ୍ଦ୍ର ଆନୁମାନିକ ୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ। ଏଥିରେ ମନୋରଞ୍ଜନ ପାଇଁ ସୁବିଧା, ଆତ୍ମବିକାଶ ଅଧିବେଶନ ପାଇଁ ଶ୍ରେଣୀଗୃହ ଏବଂ ବିଶ୍ରାମ ସ୍ଥାନ ଆଦି ରହିବ। ଏହା ୭୦୦ରୁ ଅଧିକ ଆଦିବାସୀ ମହିଳାଙ୍କୁ ନିୟୋଜିତ କରିବ ଏବଂ ପରବର୍ତ୍ତୀ ସମୟରେ ହଜାର ହଜାର ଲୋକଙ୍କୁ ଜୀବିକା ଯୋଗାଇବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/modi.jpeg)