ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ଭବ୍ୟ ପ୍ରତିଷ୍ଠା ଆସନ୍ତା ବର୍ଷ ଜାନୁଆରି ୨୨ ତାରିଖରେ ହେବ। ରାମଲାଲାଙ୍କୁ ରାମ ମନ୍ଦିରରେ ସ୍ଥାପନ କରାଯିବ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ତେବେ ରାମ ମନ୍ଦିର ପ୍ରତିଷ୍ଠାରେ ସାରା ଭାରତରୁ ସବୁ ବେଦର ୧୨୧ ଜଣ ପୁରୋହିତ ଯୋଗ ଦେଇ କର୍ମ କରିବେ। ସେମାନଙ୍କର ନେତୃତ୍ବ ବାରାଣସୀର ବିଶିଷ୍ଟ ବେଦ କର୍ମକାଣ୍ଡବିତ୍‌ ପଣ୍ଡିତ ଲକ୍ଷ୍ମୀକାନ୍ତ ମଥୁରାନାଥ ଦୀକ୍ଷିତ ନେବେ। ପଣ୍ଡିତ ଦୀକ୍ଷିତଙ୍କ ପୂର୍ବ ବଂଶର ଲୋକ ତଥା ସପ୍ତଦଶ ଶତାବ୍ଦୀର ବିଶିଷ୍ଟ କାଶୀ ପଣ୍ଡିତ ଗଗ ଭଟ୍ଟଙ୍କ ନେତୃତ୍ବରେ ଶିବାଜୀଙ୍କର ରାଜ୍ୟାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୧୨୧ ଜଣ ବ୍ରାହ୍ମଣଙ୍କ ମଧ୍ୟରେ କାଶୀରୁ ୪୦ରୁ ଅଧିକ ବ୍ରାହ୍ମଣ ରହିବେ ଯେଉଁମାନେ ଅଯୋଧ୍ୟାରେ ଜାନୁଆରି ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମାଙ୍ଗଳିକ କାର୍ଯ୍ୟ ସଂପାଦନ କରିବେ।

Advertisment

୮୬ ବର୍ଷୀୟ ପଣ୍ଡିତ ଦୀକ୍ଷିତ ଏହି ପରି‌ପ୍ରେକ୍ଷୀରେ କହିଛନ୍ତି, ପ୍ରସିଦ୍ଧ ସାଧୁ ସନ୍ଥମାନଙ୍କର ଆଶୀର୍ବାଦରୁ କାଶୀର ପଣ୍ଡିତ ଏବଂ ମୋ’ ଉପରେ ରାମ ଲାଲାଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମ ସଂପାଦନ ଦାୟିତ୍ବ ନ୍ୟସ୍ତ କରାଯାଇଛି। ଭଗବାନ ରାମଙ୍କ ଆଶୀର୍ବାଦରୁ ମୁଁ ମୋ ଦାୟିତ୍ବ ସଂପାଦନ କରିବି ବୋଲି ପଣ୍ଡିତ ଦୀକ୍ଷିତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।