ଦେଓଘରରେ ୧୬,୮୦୦ କୋଟିର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଦେଓଘର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଓଘରଠାରେ ୧୬,୮୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଅଥବା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଝାଡଖଣ୍ଡର ରାଜ୍ୟପାଳ ରମେଶ ବୈଶ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଜ୍ୟର ମନ୍ତ୍ରୀ ଏବଂ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବାବା ବୈଦ୍ୟନାଥଙ୍କ ଆଶୀର୍ବାଦରେ ପ୍ରକଳ୍ପଗୁଡ଼ିକର ଉଦଘାଟନ/ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହା ଝାଡଖଣ୍ଡର ଆଧୁନିକ ଯୋଗାଯୋଗ, ଶକ୍ତି, ସ୍ୱାସ୍ଥ୍ୟ, ବିଶ୍ୱାସ ଏବଂ ପର୍ଯ୍ୟଟନକୁ ସୁଦୃଢ଼ କରିବ। ଗତ ୮ ବର୍ଷ ଧରି ରାଜ୍ୟଗୁଡ଼ିକର ବିକାଶ ଦ୍ୱାରା ଦେଶର ବିକାଶର ଚିନ୍ତାଧାରା ସହିତ ଦେଶ କାର୍ଯ୍ୟ କରୁଛି। ଗତ ୮ ବର୍ଷ ମଧ୍ୟରେ ରାଜପଥ, ରେଳପଥ, ବାୟୁପଥ, ଜଳପଥ ଦ୍ୱାରା ଝାଡଖଣ୍ଡକୁ ସଂଯୋଗ କରିବାର ପ୍ରୟାସ ଚାଲୁରହିଛି। ଏହି ସମସ୍ତ ସୁବିଧା ରାଜ୍ୟର ଆର୍ଥିକ ବିକାଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଝାଡଖଣ୍ଡ ଦ୍ୱିତୀୟ ବିମାନବନ୍ଦର ପାଇଛି। ଏହା ବାବା ବୈଦ୍ୟନାଥଙ୍କ ଭକ୍ତମାନଙ୍କ ପାଇଁ ଅଧିକ ସହଜ ହେବ। ଉଡାନ ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରାକୁ ସୁଲଭ କରିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଆଜି ସରକାରଙ୍କ ଉଦ୍ୟମର ଲାଭ ସାରା ଦେଶରେ ଦେଖାଯାଉଛି। ଉଡାନ ଯୋଜନା ଅନ୍ତର୍ଗତ ଗତ ୫-୬ ବର୍ଷ ମଧ୍ୟରେ ବିମାନବନ୍ଦର, ହେଲିପୋର୍ଟ ଏବଂ ୱାଟର ଏରୋଡ୍ରମ୍ ମାଧ୍ୟମରେ ପ୍ରାୟ ୭୦ଟି ନୂତନ ସ୍ଥାନ ସଂଯୋଗ କରାଯାଇଛି। ଆଜି ସାଧାରଣ ନାଗରିକମାନେ ୪୦୦ରୁ ଅଧିକ ନୂତନ ରୁଟ୍‌ରେ ବିମାନଯାତ୍ରା ସୁବିଧା ପାଇଛନ୍ତି। ୧ କୋଟିରୁ ଅଧିକ ଲୋକ ପ୍ରଥମ ଥର ପାଇଁ ସୁଲଭ ଦରରେ ବିମାନ ଯାତ୍ରାର ଅନୁଭବ କରିଛନ୍ତି। ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ ଦେଓଘରରୁ କୋଲକାତା ଅଭିମୁଖେ ଯାତ୍ରା ଆଜି ଆରମ୍ଭ ହୋଇଛି ଏବଂ ରାଞ୍ଚି, ଦିଲ୍ଲୀ ଏବଂ ପାଟନା ପାଇଁ ବିମାନସେବା ଖୁବ୍ ଶୀଘ୍ର ଆରମ୍ଭ ହେବ। ବୋକାରୋ ଏବଂ ଡୁମକା ବିମାନବନ୍ଦର ପାଇଁ ମଧ୍ୟ କାମ ଚାଲିଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମଧ୍ୟ ଝାଡଖଣ୍ଡ ରାଜ୍ୟ ପାଇଁ ଗ୍ୟାସ୍-ଭିତ୍ତିକ ଅର୍ଥନୀତି ଲାଗି ଦେଶର ପ୍ରୟାସ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଊର୍ଜା ଗଙ୍ଗା ଯୋଜନା ପୁରୁଣା ଚିତ୍ରକୁ ବଦଳାଉଛି। ଅଭାବକୁ ସୁଯୋଗରେ ପରିଣତ କରିବା ପାଇଁ ଆମେ ଅନେକ ଐତିହାସିକ ନିଷ୍ପତ୍ତି ନେଉଛୁ। ଗେଲ୍‌ର ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ପାଇପଲାଇନର ବୋକାରୋ-ଅନୁଗୁଳ ସେକ୍ସନ ଝାଡଖଣ୍ଡ ଏବଂ ଓଡିଶାର ୧୧ଟି ଜିଲ୍ଲାରେ ସହରାଞ୍ଚଳ ଗ୍ୟାସ୍ ବିତରଣ ନେଟ୍‌ୱାର୍କକୁ ବିସ୍ତାର କରିବ।

ଦେଓଘରରେ ଥିବା ଏମ୍‌ସ ସମଗ୍ର ଅଞ୍ଚଳର ସ୍ୱାସ୍ଥ୍ୟସେବା ପାଇଁ ଏକ ଉତ୍ସାହ। ଦେଶର ସମସ୍ତ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ସୁବିଧାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଜନ ଅନୁଯାୟୀ ଏହା ହେଉଛି। ପ୍ରଧାନମନ୍ତ୍ରୀ ୨୫ ମାର୍ଚ୍ଚ, ୨୦୧୮ରେ ଏମ୍‌ସ ଦେଓଘରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସମଗ୍ର ଦେଶରେ ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ ତଥା ପର୍ଯ୍ୟଟକଙ୍କ ପାଇଁ ସୁବିଧାକୁ ସୁଦୃଢ କରିବା ପାଇଁ ପ୍ରତିବଦ୍ଧତା ଅନୁଯାୟୀ ଦେଓଘର ବୈଦ୍ୟନାଥ ଧାମର ବିକାଶ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଅଧୀନରେ ପ୍ରସାଦ ଯୋଜନାରେ ହୋଇଥିବା ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ୨୦୦୦ ତୀର୍ଥଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ଦୁଇଟି ବୃହତ୍ ତୀର୍ଥଯାତ୍ରା ସ୍ଥଳୀର ବିକାଶ; ଜଲସର ହ୍ରଦ ସମ୍ମୁଖ ବିକାଶ; ଶିବଗଙ୍ଗା ପୋଖରୀ ବିକାଶ ଆଦି ରହିଛି। ଏହି ନୂତନ ସୁବିଧା ବାବା ବୈଦ୍ୟନାଥ ଧାମ ପରିଦର୍ଶନ କରୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ପର୍ଯ୍ୟଟନ ଅଭିଜ୍ଞତାକୁ ଆହୁରି ସମୃଦ୍ଧ କରିବ। ପ୍ରଧାନମନ୍ତ୍ରୀ ୧୦,୦୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ସଡକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଦ୍‌ଘାଟିତ ପ୍ରକଳ୍ପଗୁଡିକରେ ଗୋରହରରୁ ବରୱାଡା ସେକ୍ସନ ଏନଏଚ୍‍୨ର ୬ ଲେନ୍ ଅନ୍ତର୍ଭୁକ୍ତ। ଅନ୍ୟଗୁଡ଼ିକ ମଧ୍ୟରେ ଏନଏଚ୍‍୩୨ର ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ରାଜଗଞ୍ଜ-ଚାସ୍ ସମ୍ପ୍ରସାରଣ ଆଦି ରହିଛି।

ସମ୍ବନ୍ଧିତ ଖବର