ନୂଆଦିଲ୍ଲୀ: ଚଳିତ ମାସ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରିବେ। ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୋଦୀ ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଚଳିତ ମାସ ଶେଷରେ ଏହି କୋଠା ଉଦ୍‌ଘାଟନ କରାଯିବ। ମେ ୨୮ରେ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମ ହୋଇପାରେ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମେ’ ୨୬ ତାରିଖରେ ପ୍ରଥମେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥି‌ଲେ।

Advertisment

ମେ’ ୨୬ ତାରିଖରେ ମୋଦୀ ସରକାରକୁ ୯ ବର୍ଷ ପୂରିବ। ୯୭୦ କୋଟି ଟଙ୍କାରେ ଏହି ୪ ମହଲା ବିଶିଷ୍ଟ କୋଠା ନିର୍ମାଣ ହୋଇଛି। ନୂଆ କୋଠାରେ ୩ଟି ଦ୍ବାର ରହିଛି ଏବଂ ଏହି ୩ଟି ଦ୍ବାର ହେଉଛି ଜ୍ଞାନ ଦ୍ବାର, ଶକ୍ତି ଦ୍ବାର ଏବଂ କର୍ମ ଦ୍ବାର। ସାଂସଦ, ଭିଆଇପି ଏବଂ ଦର୍ଶକଙ୍କ ପାଇଁ ପୃଥକ ପ୍ରବେଶ ପଥ ରହିଛି। ୨୦୨୦ ଡିସେମ୍ବର‌ରେ ମୋଦୀ ନୂଆ ସଂସଦ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଉଲ୍ଲେଖଯୋଗ୍ୟ, ମୋଦୀ ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ବିଜେପି ଦେଶବ୍ୟାପୀ ୫୧ଟି ରୢାଲି କରିବାପାଇଁ ଯୋଜନା କରିଛି। ୩୯୬ ଲୋକସଭା ଆସନରେ ବିଜେପି ସ୍ବତନ୍ତ୍ର ବୈଠକ କରିବ।