ମଧ୍ୟପ୍ରଦେଶକୁ ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନ: ଦୁଷ୍କର୍ମର ମୂଲ୍ୟ କ’ଣ ୬, ୫୦୦ ଟଙ୍କା?

ନୂଆଦିଲ୍ଲୀ: ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ଉତ୍‌କ୍ଷିପ୍ତ ହୋଇ ମଧ୍ୟପ୍ରଦେଶ ସରକାରଙ୍କୁ ପ୍ରଶ୍ନ କରିଛି ଯେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ପୀଡ଼ିତାମାନଙ୍କୁ ୬, ୫୦୦ ଟଙ୍କା ଦେଇ କ’ଣ ଦାନପୁଣ୍ୟ କରାଯାଉଛି?

ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ କେନ୍ଦ୍ରରୁ ନିର୍ଭୟା ପାଣ୍ଠି ବାବଦରେ ମଧ୍ୟପ୍ରଦେଶ ସର୍ବାଧିକ ଅର୍ଥ ପାଉଥିବା ବେଳେ ପ୍ରତି ଦୁଷ୍କର୍ମ ପୀଡ଼ିତାମାନଙ୍କୁ ମାତ୍ର ୬୦୦୦ ରୁ ୬୫୦୦ ଟଙ୍କା ଦେବା କ୍ଷୋଭର ବିଷୟ।

ଜଷ୍ଟିସ୍‌ ମଦନ ବି ଲୋକୁର ଏବଂ ଦୀପକ ଗୁପ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ମଧ୍ୟପ୍ରଦେଶ ସରକାର ଦାଖଲ କରିଥିବା ସତ୍ୟପତ୍ର ଅନୁଶୀଳନ କରି କହିଲେ, ଆପଣଙ୍କ ସତ୍ୟପତ୍ର ଅନୁସାରେ, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ହାରାହାରି ୬୦୦୦ ଟଙ୍କା ଦିଆଯାଉଛି। ଆପଣ କ’ଣ ଦାନ ଦେଉଛନ୍ତି? ଆପଣ ଏମିତି କରି ପାରୁଛନ୍ତି କେମିତ… ଦୁଷ୍କର୍ମକୁ କ’ଣ ୬, ୫୦୦ ଟଙ୍କାରେ ମୂଲ୍ୟାୟନ କରୁଛନ୍ତି?

ମଧ୍ୟପ୍ରଦେଶରେ ଦୁର୍ଷ୍କମ ସଂଖ୍ୟା ମଧ୍ୟ ଉଲ୍ଲେଖଯୋଗ୍ୟ। ମଧ୍ୟପ୍ରଦେଶରେ ସମୁଦାୟ ୧, ୯୫୧ ଜଣ ଦୁଷ୍କର୍ମ ପୀଡ଼ିତା ଅଛନ୍ତି, କିନ୍ତୁ ଆପଣ ସେମାନଙ୍କୁ ୬, ୦୦୦ ରୁ ୬, ୫୦୦ ଟଙ୍କା ଦେଉଛନ୍ତି। ତାହା କ’ଣ ଉତ୍ତମ, ପ୍ରଶଂସାଯୋଗ୍ୟ? ଇଏ କ’ଣ, ଏଇଟା ହିତାହିତ ଜ୍ଞାନ ବିବର୍ଜିତ ବୋଲି ଖଣ୍ଡପୀଠ କହିଛନ୍ତି।

ଗତ ମାସରେ ଅଦାଲତ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଲେଖିଥିଲେ କି, ସେମାନେ ନିର୍ଭୟା ପାଣ୍ଠିରୁ କେତେ ଟଙ୍କା ଗ୍ରହଣ କରୁଛନ୍ତି ଏବଂ ଅନୁକମ୍ପା ଭାବେ କେତେ ଟଙ୍କା ଦେଉଛନ୍ତି ତା’ର ଏକ ସତ୍ୟପତ୍ର ଦେବା ପାଇଁ। ଏଥି ସହ କେତେ ସଂଖ୍ୟକ ଦୁଷ୍କର୍ମ ପୀଡ଼ିତା ଅଛନ୍ତି ତାହା ମଧ୍ୟ ଦର୍ଶାଇବାକୁ ନିର୍ଦେଶ ଦିଆଯାଇଥିଲା।

ଏଯାବତ୍‌ ପ୍ରାୟ ୨୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କର ସତ୍ୟପତ୍ର ଦାଖଲ କରି ନାହାନ୍ତି। ଶୁଣାଣି ବେଳେ ହରିୟାନାର ଓକିଲ ସେମାନଙ୍କର ସତ୍ୟପତ୍ର ଦାଖଲ କରିବ ବୋଲି କହିବାରୁ ଖଣ୍ଡପୀଠ କହିଲେ, ଯଦି ଆପଣ ସତ୍ୟପତ୍ର ଦାଖଲ କରି ନାହାନ୍ତି, ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି ଯେ ଆପଣ ଆପଣଙ୍କ ରାଜ୍ୟର ମହିଳାଙ୍କ ସୁରକ୍ଷା ପାଇଁ କେତେ ଦୂର ଦାୟିତ୍ୱବାନ। ଆପଣ ସମୟ ନିଅନ୍ତୁ ଏବଂ ରାଜ୍ୟର ମହିଳାମାନଙ୍କୁ କୁହନ୍ତୁ ସେମାନଙ୍କ ପ୍ରତି ଆପଣଙ୍କର କୌଣସି ତତ୍ତ୍ୱ ନାହିଁ।

ସମ୍ବନ୍ଧିତ ଖବର