କୋଚି: କୋଚି ସ୍ଥିତ ‘କୋଚିନ୍‌ ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍‌ଟୋଲୋଜି’ (ସିୟୁଏସ୍‌ଟି)ରେ ଆଜି ରାତିରେ ଏକ ବଡ଼ ଅଘଟଣ ଘଟିଛି। ବିଶ୍ବବିଦ୍ୟାଳୟରେ ଚାଲିଥିବା ଏକ ସଂଗୀତ ସମାରୋହରେ ଦଳାଚକଟା ହେବାରୁ ୪ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି ଏବଂ ୫୫ ଛାତ୍ର ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଟେକ୍‌ ଫେଷ୍ଟ୍‌ କାର୍ଯ୍ୟକ୍ରମର ମ୍ୟୁଜିକ୍‌ କନ୍‌ସର୍ଟ ଖୋଲା ଅଡିଟୋରିୟମରେ ଚାଲିଥିଲା ଏବଂ ଗାୟିକା ନିକିତା ଗାନ୍ଧି କାର୍ଯ୍ୟକ୍ରମ ପରିବେଷଣ କରୁଥିବା ବେଳେ ଅଚାନକ ଦଳାଚକଟା ହେବାରୁ ଏଭଳି ଦୁଃଖଦ ସ୍ଥିତି ଉପୁଜିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି। କାର୍ଯ୍ୟକ୍ରମ ଦେଖିବାକୁ ପାସ୍‌ ପାଇନଥିବା ଶତାଧିକ ବ୍ୟକ୍ତି ବାହାରେ ଅପେକ୍ଷା କରିଥିଲେ ଏବଂ ହଠାତ୍‌ ବର୍ଷା ହେବାରୁ ସେମାନେ ଅଡିଟୋରିୟମ ଭିତରକୁ ଧସେଇ ପଶିଥିଲେ। ଏଥିପାଇଁ ଦଳାଚକଟା ହେଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆହତ ଛାତ୍ରମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ମଧ୍ୟରେ ପ୍ରାୟ ୧୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।