ଆନ୍ଧ୍ର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅଘଟଣ: ଜଳିଗଲେ ୬ ଓଡ଼ିଆ ଶ୍ରମିକ

ରାୟଗଡ଼ା/ଗୁଣପୁର : ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା ଲଙ୍କ‌ାଭାନିଦିବା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗତକାଲି ବିଳମ୍ବିତ ରାତିରେ ଅଘଟଣ ଘଟିଛି। ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟି ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍ ଭୀମପୁର ପଞ୍ଚାୟତ ଝୁମ୍ପାପୁର ଗ୍ରାମର ରାମମୂର୍ତ୍ତି ଗମାଙ୍ଗ, ଫୁଲପୁଟି ଗ୍ରାମର ପାଣ୍ଡବ ଶବର, ମୋହନ ଶବର, କରୁଣାକର ଶବର, ଗୁଣପୁର ସହର ମୋତିଲାଲ ନଗରର ନବୀନ ଶବର ଓ ଗଜପତି ଜିଲ୍ଲା ଜିରାଙ୍ଗ ଗ୍ରାମର ମହେନ୍ଦ୍ର ଶବର ବୋଲି ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୪ ଜଣ ନାବାଳକ ଥିବା ସୂଚନା ମିଳିଛି। ଗୁଣ୍ଟୁର ପୁଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଗୁଣ୍ଟୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।

ସୂଚନା ମୁତାବକ, ୩ ମାସ ତଳେ ଦଲାଲଙ୍କ ମାଧ୍ୟମରେ ଗୁଣପୁର ଓ ଗଜପତି ଅଞ୍ଚଳର ୧୨ ଶ୍ରମିକ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିଲେ। ଶ୍ରମ ବିଭାଗର ଅଜାଣତ‌ରେ ଏବଂ ବିନା ପଞ୍ଜୀକରଣରେ ଶ୍ରମିକମାନେ ଗୁଣ୍ଟୁର ଜିଲ୍ଲାର ଲଙ୍କାଭାନିଦିବା ସହରର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଗତକାଲି ରାତିରେ ଶ୍ରମିକମାନେ ରେଷ୍ଟ୍ ହାଉସ୍‌ରେ ଶୋଇଥିବାବେଳେ ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା। ଶ୍ରମିକମାନେ ଶୋଇଥିବା କୋଠରିରେ କେମିକାଲ୍ ଥିବାରୁ ନିଆଁ ଉଗ୍ର ରୂପ ଧାରଣ କରିଥିଲା। ଫଳରେ ନିଆଁ ଧାସ ଭିତରୁ ଶ୍ରମିକମାନେ ବାହାରି ନପାରି ଶୋଇଥିବା ଅବସ୍ଥା‌ରେ ହିଁ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ଅଗ୍ନିକାଣ୍ଡ ସଂପର୍କରେ ଜାଣିବା ପରେ ଗୁଣ୍ଟୁର ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ଶବ ରେଷ୍ଟ୍ ହାଉସ୍ ଭିତରୁ ବାହାର କରି ବ୍ୟବଚ୍ଛେଦ ପାଇଁ ଗୁଣ୍ଟୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ଗତକାଲି ରାତି‌ରୁ ଏତେ ବଡ଼ ଅଘଟଣ ଘଟିବା ସହ ୬ ଶ୍ରମିକ ମୃତ୍ୟୁବରଣ କରିଥିଲେ ମଧ୍ୟ ରାୟଗଡ଼ା ଜିଲ୍ଲା ଶ୍ରମ ବିଭାଗ ନିକଟରେ ଏ ନେଇ କୌଣସି ସୂଚନା ନାହିଁ। ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରୁ ସୂଚନା ପାଇ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରମିକଙ୍କ ମୃତଦେହକୁ ନିଜ ଅଞ୍ଚଳକୁ ଆଣିବା ପାଇଁ ପ୍ରୟାସ ଚାଲିଥିବା କହିଛନ୍ତି। ଆନ୍ଧ୍ର ପୁଲିସର ସୂଚନା ପରେ ମୃତକଙ୍କ ପରିବାର ଗାଡ଼ି ଭଡ଼ା କରି ଗୁଣ୍ଟୁର ଅଭିମୁଖେ ଯାଇଛନ୍ତି। ପରିବାର ଲୋକ ପହଞ୍ଚିବା ପରେ ପୁଲିସ୍ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବ। ଆଜି ରାତି କିମ୍ବା ଶନିବାର ସକାଳେ ମୃତ ଶ୍ରମିକଙ୍କ ମୃତଦେହ ଗୁଣପୁରରେ ପହଞ୍ଚିବ ବୋଲି ଜଣା ପଡ଼ିଛି। ଖବର ଲେଖାହେବା ସୁଦ୍ଧା ପୁଲିସ୍ ଏବଂ ପ୍ରଶାସନ ଘଟଣା ଉପରେ ନଜର ରଖିବା ସହ ମୃତ ଶ୍ରମିକଙ୍କ ପରିବାର ସହିତ ଯୋଗାଯୋଗରେ ଅଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମ‌େ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ପରିସ୍ଥିତି ଅନୁଧ୍ୟାନ କରିବା ପାଈଁ ଗୁଣ୍ଟୁର୍‌ ଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଶ୍ରମିକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ରାୟଗଡ଼ାରୁ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଚାଲାଣ ଥମୁ ନଥିବା ବେଳେ କିଭଳି ଓ କେଉଁ ପରିସ୍ଥିତିରେ ନାବାଳକ ଶ୍ରମିକମାନେ ଆନ୍ଧ୍ରକୁ ଦାଦନ ଖଟିବାକୁ ଗଲେ ଏବଂ ଏ ସଂପର୍କରେ ଶ୍ରମ ବିଭାଗରେ କୌଣସି ସୂଚନା ନଥିବା ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଖବର ପାଇବା ପରେ ଗୁଣପୁର ଶ୍ରମ ନିୟୋଜନ ବିଭାଗର ସହକାରୀ ଶ୍ରମ ଅଧିକାରୀ ସ୍ୱାତୀଲଗ୍ନା ପାତ୍ର ଆଜି ଫୁଲପୁଟି ଏବଂ ଝୁମ୍ପପୁର ଗ୍ରାମ ଗସ୍ତ କରି ଗ୍ରାମବାସୀଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର