କନ୍ୟାଶ୍ରମରେ ବିଷାକ୍ତ ଖାଦ୍ୟ ଯୋଗୁଁ ନାବାଳିକାଙ୍କ ମୃତ୍ୟୁ ଘଟଣା: ଗଣଶିକ୍ଷା ପ୍ରମୁଖ ସଚିବ, ଜିଲ୍ଲାପାଳଙ୍କ ଠାରୁ ଏଟିଆର୍‌ ତଲବ

ନୂଆଦିଲ୍ଲୀ : ସୋରୋର ପୁରୁବୀ କନ୍ୟାଶ୍ରମରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ନାବାଳିକାଙ୍କ ମୃତ୍ୟୁ ଓ ୨୫ ଜଣ ଛାତ୍ରୀ ଅସୁସ୍ଥ ହେବା ଘଟଣାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଏବଂ ବାଲେଶ୍ବର ଜିଲ୍ଲାପାଳ ଓ ପୋଲିସ ଅଧୀକ୍ଷକଙ୍କ ଠାରୁ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର୍‌) ତଲବ କରିଛନ୍ତି। ଏଥି ପାଇଁ ଚାରି ସପ୍ତାହ ସମୟସୀମା ଧାର୍ଯ୍ୟ କରାଯାଇଛି। ଏ ସଂପର୍କରେ ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଆୟୋଗଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ।

ଆଇନଜୀବୀ ତ୍ରିପାଠୀ ପିଟିସନରେ ଦର୍ଶାଇଥିଲେ, କନ୍ୟାଶ୍ରମରେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ସଂକ୍ରମିତ ଖାଦ୍ୟ ଖାଇବା ଦ୍ବାରା ଛାତ୍ରଛାତ୍ରୀମାନେ ବେମାର ହେଉଛନ୍ତି। ଏଥି ସହିତ କନ୍ୟାଶ୍ରମରେ ଯେଉଁ ମଧ୍ୟାହ୍ନ ଭୋଜନ ଦିଆଯାଉଛି ତାହା ନିମ୍ନ ମାନର। ଏ ଭଳି ଅବ୍ୟବସ୍ଥାକୁ ସୁଧାରିବା ପାଇଁ ପ୍ରଶାସନ ଦ୍ବାରା କୌଣସି ପଦକ୍ଷେପ ନିଆଯାଉନାହିଁ। ଅବ‌ହେଳା ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁ‌ଷ୍ଠାନ ଓ ମୃତକ ନାବାଳିକା ତଥା ବେମାର ହୋଇଥିବା ଛାତ୍ରୀମାନଙ୍କ ପରିବାରକୁ କ୍ଷତିପୂରଣ ଦେବାପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ତ୍ରିପାଠୀ ଆୟୋଗଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

ସମ୍ବନ୍ଧିତ ଖବର