ବିହାର ହସ୍ପିଟାଲରେ ଅଭାବନୀୟ ଘଟଣା: ବିନା ନିଶ୍ଚେତକରେ ୨୪ ମହିଳାଙ୍କ ଅପରେସନ

ତଦନ୍ତ ନିର୍ଦ୍ଦେଶ, ଏନ୍‌ଜିଓ କଳାତାଲିକାଭୁକ୍ତ

ପାଟନା: ଗ୍ଲୋବାଲ ଡେଭଲପମେଣ୍ଟ ଇନିସିଏଟିଭ୍ ନାମକ ଏନ୍‌ଜିଓ ଦ୍ବାରା ଅୟୋଜିତ ଏକ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ଗତ ସପ୍ତାହାନ୍ତରେ ବିହାରର ଦୁଇଟି ହସ୍ପିଟାଲରେ ଟ୍ୟୁବେକ୍ଟୋମି ଅପରେସନ କରାଯାଇଥିଲା। ଖଗାରିଆ ଜିଲ୍ଲା ଅନ୍ତର୍ଗତ ଦୁଇଟି ସରକାରୀ ପରିଚାଳିତ ଜନସ୍ବାସ୍ଥ୍ୟ କେନ୍ଦ୍ରରେ ୨୪ ଜଣ ମହିଳାଙ୍କଠାରେ ଏହି ଅସ୍ତ୍ରୋପଚାର ବିନା ନିଶ୍ଚେତକରେ କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଟ୍ୟୁବେକ୍ଟୋମି ହେଉଛି ଏକ ଗର୍ଭନିରୋଧକ ଅପରେସନ ଯେଉଁଥିରେ ଡିମ୍ବାଶୟରୁ ଗର୍ଭାଶୟକୁ ଯାଇଥିବା ନଳୀରେ କ୍ଲିପ୍ ମାରି ବାଟ ବନ୍ଦ କରିଦିଆଯାଏ। ଫଳରେ ଡିମ୍ବାଶୟରୁ ଗର୍ଭାଶୟକୁ ଡିମ୍ବ ଯାଇପାରେ ନାହିଁ କିମ୍ବା ଗର୍ଭ ରହିପାରେ ନାହିଁ। ନିୟମାନୁସାରେ ଏହି ଅପରେସନ କଲାବେଳେ ଲୋକାଲ ଆନାସ୍ଥେସିଆ ଦିଆଯିବା କଥା। କିନ୍ତୁ ତାହା ଦିଆ ନ ଯାଇ ଅପରେସନ କରାଯାଇଥିଲା। ଛୁରି ଚଲାଯିବା ବେଳେ ପ୍ରତ୍ୟେକ ମହିଳା ଯନ୍ତ୍ରଣାରେ ଚିତ୍କାର କରୁଥିଲେ। ସେତେବେଳେ ଅନ୍ୟ ଚାରିଜଣ ମହିଳା ତାଙ୍କୁ ମାଡ଼ିବସି ଧରୁଥିଲେ। ପୂରା ଅପରେସନ ସରିବା ପର୍ଯ୍ୟନ୍ତ ପଞ୍ଜୀକୃତ ୫୩ ଜଣ ମହିଳାଙ୍କ ମଧ୍ୟରୁ ୨୪ ଜଣଙ୍କ କ୍ଷେତ୍ରରେ ଏହିପରି ଅବ୍ୟବସ୍ଥା ଘଟିଥିବା ଅଭିଯୋଗ ହୋଇଛି।

ଖଗରିଆ ଜିଲ୍ଲା ମାଜିଷ୍ଟ୍ରେଟ୍ ଆଲୋକ ରଞ୍ଜନ ଘୋଷ ବୁଧବାର ଏହା ଉପରେ ଏକ ତଦନ୍ତ ଆଦେଶ ଦେଇଛନ୍ତି। ଆଲାଉଲି ସ୍ବାସ୍ଥ୍ୟକେନ୍ଦ୍ର ପ୍ରଭାରୀ ଡ ମନିଷ କୁମାର କହିଛନ୍ତି ଯେ ସେ ସମ୍ପୃକ୍ତ ଏନ୍‌ଜିଓକୁ କଳାତାଲିକାଭୁକ୍ତ କରିଛନ୍ତି। ପାରବତ ସ୍ବାସ୍ଥ୍ୟକେନ୍ଦ୍ର ପ୍ରଭାରୀ ଡ ରାଜୀବ ରଞ୍ଜନ ଦାବି କରିଛନ୍ତି ଯେ ଆନାସ୍ଥେସିଆ ଦିଆଯାଇଥିଲା। ସମ୍ଭବତଃ କେତେକ ମହିଳାଙ୍କ କ୍ଷେତ୍ରରେ ତାହା କାମ କରି ନାହିଁ। ପ୍ରତ୍ୟେକ ଅପରେସନ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସମ୍ପୃକ୍ତ ଏନ୍‌ଜିଓକୁ ୨,୧୦୦ ଟଙ୍କା ଦେଇଥିବା ଜଣାପଡ଼ିଛି। ୨୦୧୨ ମସିହାରେ ଅରାଡ଼ିଆ ଜିଲ୍ଲାରେ ଏପରି ଘଟଣା ଘଟିଥିଲା। ବିନା ନିଶ୍ଚେତକରେ ୨ ଘଣ୍ଟା ଭିତରେ ୫୩ ଜଣ ମହିଳାଙ୍କର ଅପରେସନ କରାଯାଇଥିଲା। ଏହି ଘଟଣାରେ ମହିଳାଙ୍କ ଜୀବନକୁ ବିପନ୍ନ କରିଥିବାରୁ ତିନିଜଣଙ୍କୁ ଗିରଫ କରି ଜେଲଦଣ୍ଡ ଦିଆଯାଇଥିଲା।

ସମ୍ବନ୍ଧିତ ଖବର