ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍‌ଏସ୍‌ଡିଇ) ଅନ୍ତର୍ଗତ ‘ରି-ଇମାଜିନେସନ ଅଫ୍ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ସ’ (ପ୍ରଶିକ୍ଷଣ ସଂସ୍ଥାର ପୁନଃକଳ୍ପନା) ଉପରେ ଆୟୋଜିତ ମାନସ ମନ୍ଥନ ଅଧିବେଶନରେ ସାମିଲ ହୋଇଛନ୍ତି। ଏହି ଅବସରରେ ଏମ୍‌ଏସ୍‌ଡିଇର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ସଚିବ ରାଜେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ଶ୍ରୀ ପ୍ରଧାନ ନିଜର ସମ୍ବୋଧନରେ କହିଲେ ଯେ, ପ୍ରଯୁକ୍ତି ଦ୍ରୁତଗତିରେ ଆମ ଦୁନିଆଁକୁ ପରିବର୍ତ୍ତନ କରୁଛି। ଶିକ୍ଷାଠାରୁ ଆରମ୍ଭକରି ସ୍ବାସ୍ଥ୍ୟ ପର୍ଯ୍ୟନ୍ତ, କୃଷିଠାରୁ ଅର୍ଥ ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ପ୍ରଯୁକ୍ତି ଅଭୂତପୂର୍ବ ବିକାଶର ସାକ୍ଷୀ ହେଉଛି। ଏହାଦ୍ବାରା ନୂଆ ଅବସର ଓ ସୁଯୋଗ ସୃଷ୍ଟି ହେଉଛି। ଏକବିଂଶ ଶତାବ୍ଦୀରେ ଏକ ଉତ୍କୃଷ୍ଟ ଶ୍ରମଶକ୍ତିର ବିକାଶ ପାଇଁ ପ୍ରଶିକ୍ଷକମାନଙ୍କ କ୍ଷମତା ବୃଦ୍ଧି କରିବା ବହୁତ ମହତ୍ତ୍ବପୂର୍ଣ୍ଣ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆମକୁ ଆଗାମୀ ତିନିବର୍ଷରେ ୨୫ ଲକ୍ଷ ପ୍ରଶିକ୍ଷକଙ୍କୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଏହି ପ୍ରଶିକ୍ଷକମାନେ ଆଗାମୀ ପିଢ଼ିର ଶ୍ରମଶକ୍ତିର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।
ଶ୍ରୀ ପ୍ରଧାନ କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଦକ୍ଷତା କେନ୍ଦ୍ର ଭାବରେ ବିକଶିତ କରିବାର ପରିକଳ୍ପନା କରିଛନ୍ତି। ଭାରତକୁ ବିଶ୍ବର କୌଶଳ ରାଜଧାନୀ କରିବା ପାଇଁ ତଥା ଆମର କୌଶଳ ଇକୋ-ସିଷ୍ଟମକୁ ଉନ୍ନତ କରିବା ଦିଗରେ ଅଧିକ ସଂସ୍କାର, ସଂସ୍ଥାଗତ ପରିବର୍ତ୍ତନ, ନୂତନ ଚିନ୍ତାଧାରା, ଅନ୍ତର୍ଜାତୀୟ ସହଯୋଗ ଏବଂ ପ୍ରଯୁକ୍ତିର ବ୍ୟବହାର କରିବା ପାଇଁ ସେ ଆହ୍ବାନ କରିଛନ୍ତି।