ନୂଆଦିଲ୍ଲୀ: ଚଳିତବର୍ଷ ଫେବ୍ରୁଆରି ୧୩ ତାରିଖରେ ଲୋକସଭାରେ ଆଗତ ହୋଇଥିବା ଐତିହାସିକ ଆୟକର ବିଲ୍-୨୦୨୫କୁ ସରକାର ଆଜି ପ୍ରତ୍ୟାହାର କରି ନେଇଛନ୍ତି। ଏହି ବିଲ୍କୁ ନୂଆ ରୂପରେ ଚଳିତ ମାସ ୧୧ ତାରିଖ (ସୋମବାର)ରେ ପୁନର୍ବାର ଆଗତ କରାଯିବ। ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟି କରିଥିବା ଅଧିକାଂଶ ସୁପାରିସକୁ ନୂଆ ବିଲ୍ରେ ସାମିଲ କରାଯିବ। ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଲ୍ ପ୍ରତ୍ୟାହାର ପ୍ରସ୍ତାବ ଆଗତ କରିବା ପରେ ଏହା ଗୃହୀତ ହୋଇଛି। ଗତ ୨୧ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ଦିନ ହିଁ ନୂଆ ଆୟକର ବିଲ୍-୨୦୨୫ ରିପୋର୍ଟ ଦାଖଲ କରିଥିଲା ସିଲେକ୍ଟ କମିଟି। ୪୫୦୦ରୁ ଅଧିକ ପୃଷ୍ଠା ବିଶିଷ୍ଟ ଏହି ସୁପାରିସରେ ୨୮୫ଟି ପରାମର୍ଶ ଦିଆଯାଇଛି। ଆୟକର ବିଲ୍-୨୦୨୫ରେ ଉନ୍ନତି ଆଣିବା ଲାଗି ଏସବୁ ସୁପାରିସ କରାଯାଇଛି।
ଉଲ୍ଲେଖଯୋଗ୍ୟ, ନୂଆ ବିଲ୍ ଗୃହୀତ ହୋଇ କାର୍ଯ୍ୟକାରୀ ହେଲେ ୧୯୬୧ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଥିବା ଆୟକର ଆଇନ ଉଚ୍ଛେଦ ହେବ। ସାଧାରଣ ଟିକସଦାତା ସିଧାସଳଖ ଉପକୃତ ହେବେ।
ଗୃହ ସମ୍ପତ୍ତିରୁ ଲୋକମାନେ କରୁଥିବା ଆୟ କ୍ଷେତ୍ରରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ପାଇଁ ସିଲେକ୍ଟ କମିଟି ସୁପାରିସ କରିଛି। ପ୍ରଥମତଃ ୩୦ ପ୍ରତିଶତ ଷ୍ଟାଣ୍ଡାର୍ଡ ଡିଡକ୍ସନ୍, ଯାହାକି ପୌରସଂସ୍ଥାର ଟିକସ ପରେ ମିଳିଥାଏ, ତାହାକୁ ନୂଆ ଆଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯିବ। ଫଳରେ ଏ ନେଇ ରହୁଥିବା ଦ୍ବନ୍ଦ୍ବ ଦୂର ହେବ। ଦ୍ବିତୀୟତଃ, ଗୃହ ଋଣ ସୁଧ ଡିଡକ୍ସନ୍, ଯାହାକି ବର୍ତ୍ତମାନ କେବଳ ନିଜେ ଅଧିକୃତ କରିଥିବା ଘର କ୍ଷେତ୍ରରେ ମିଳୁଛି ତାହାକୁ ଭଡ଼ା ସମ୍ପତ୍ତି କ୍ଷେତ୍ରରେ ମଧ୍ୟ ଉପଲବ୍ଧ କରାଯିବ। ଏଥିସହିତ ଅଧିକାଂଶ ଟିକସଦାତା ଟିଡିଏସ୍ (ଉତ୍ସରୁ ଟିକସ କାଟ) ବା ଟିସିଏସ୍ (ଉତ୍ସରେ ଟିକସ ଆଦାୟ) ରିଫଣ୍ଡ୍ କ୍ଷେତ୍ରରେ ଦୀର୍ଘ ବିଳମ୍ବର ସାମନା କରୁଛନ୍ତି। ରିଫଣ୍ଡ୍ ପ୍ରକ୍ରିୟା ତ୍ବରିତ, ସହଜ ଏବଂ ଅଧିକ ସ୍ବଚ୍ଛ କରିବା ପାଇଁ କମିଟି ସୁପାରିସ କରିଛି।