ମୁମ୍ବାଇ: ରାଜନୈତିକ ଚାନ୍ଦା ଦେଇଥିବା ବ୍ୟକ୍ତି ଓ ସଂସ୍ଥା ପଛରେ ପଡ଼ିଛି ଆୟକର ବିଭାଗ। ସେମାନଙ୍କୁ ପଚାରିଛି କଡ଼ା ପ୍ରଶ୍ନ। ରାଜନୈତିକ ଦଳ ତରଫରୁ କିଏ ଯୋଗାଯୋଗ କରିଥିଲା? ସେହି ଲୋକର ନାମ ଜଣାଅ। ଯାହାକୁ ପାଣ୍ଠି ଦେଇଥିଲ, ସେ ନିର୍ବାଚନ ଲଢ଼ିଥିଲେ ନା ନାହିଁ? ଚାନ୍ଦା ଦେବା ପୂର୍ବରୁ ଯଥାର୍ଥ ଆକଳନ କରିଥିଲ ନା ନାହିଁ? ଏଭଳି ବହୁ ପ୍ରଶ୍ନ ପଚାରିଛି ଆୟକର ବିଭାଗ। ଯେଉଁମାନେ ୫ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଚାନ୍ଦା ଦେଇଛନ୍ତି, ସେଭଳି ଶହ ଶହ ଲୋକଙ୍କ ପାଖକୁ ଆୟକର ବିଭାଗ ଏହି ସବୁ ପ୍ରଶ୍ନର ଏକ ତାଲିକା ପଠାଇଛି। ଯେଉଁମାନେ ଏହି ପ୍ରଶ୍ନଗୁଡ଼ିକର ସନ୍ତୋଷଜନକ ଉତ୍ତର ଦେଇ ନପାରିବେ, ସେମାନଙ୍କ ଉପରେ ଚଢ଼ା ଟିକସ ଓ ଜରିମାନା ଲାଗୁ କରାଯିବ। ଚାନ୍ଦା ଦେଇଥିବା ଲୋକମାନଙ୍କୁ ନିଜ ବୃତ୍ତି କିମ୍ବା ବ୍ୟବସାୟ, ସମସ୍ତ ବ୍ୟାଙ୍କ ଖାତାର ବିବରଣୀ, ଆୟର ଉତ୍ସ, ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷର ଅଡିଟ୍ ହୋଇଥିବା ଆର୍ଥିକ ବିବରଣୀ, ପାନ୍ ନମ୍ବର, ରାଜନୈତିକ ଦଳର ପଞ୍ଜୀକରଣ ସାର୍ଟିଫିକେଟ୍ ଓ ଇଲେକ୍ଟୋରାଲ୍ ଟ୍ରଷ୍ଟ ବିଷୟରେ ସୂଚନା ଦେବାକୁ ଆୟକର ବିଭାଗ କହିଛି।
ଉତ୍ତର ଦେଇ ନ ପାରିଲେ ଚଢ଼ା ଟିକସ, ଜରିମାନା
ଆୟକର ବିଭାଗ ସନ୍ଦେହ କରୁଛି ଯେ ରାଜନୈତିକ ଚାନ୍ଦା ବାହାନରେ ବ୍ୟାପକ ମନି ଲଣ୍ଡରିଂ ହୋଇଛି। ବହୁ ଲୋକ ଚେକ୍ ଜରିଆରେ ଚାନ୍ଦା ଦେଇଥିବା ଦେଖାଇଛନ୍ତି ଏବଂ ସେହି ଟଙ୍କାକୁ ରାଜନୈତିକ ଦଳଠାରୁ ନଗଦ ରାଶି ଆକାରରେ ପାଇଛନ୍ତି। ସେହି ବାଟରେ ସେମାନେ ୧-୩ ପ୍ରତିଶତ ପର୍ଯ୍ୟନ୍ତ କମିସନ ଆୟ କରିଛନ୍ତି। କେବଳ ସେତିକି ନୁହେଁ, ଦାତାମାନେ ସେହି ଦାନ ଅର୍ଥକୁ ଆୟକର ରିଟର୍ଣ୍ଣ ଦାଖଲ ବେଳେ ଛାଡ଼ ପାଇବାକୁ ଦାବି କରିଛନ୍ତି। ଦେଶରେ ୯୦୦୦ରୁ ଅଧିକ ଲୋକ ରାଜନୈତିକ ଚାନ୍ଦା ପାଇଁ ଟିକସରେ କାଟ ସୁବିଧା ପାଇବାକୁ ଦାବି କରିଛନ୍ତି। ରାଜନୈତିକ ଚାନ୍ଦାର କୌଣସି ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ କରାଯାଇନାହିଁ। ତେଣୁ ଯେକୌଣସି ବ୍ୟକ୍ତି ଯେତେ ଚାହିବେ, କାଟ ପାଇବା ଲାଗି ଦାବି କରିପାରିବେ। ଆଇନର ସେହି ଗଳାବାଟର ଅପବ୍ୟବହାର କରିବାକୁ ଉଦ୍ୟମ ହୋଇଥିବା ଆୟକର ବିଭାଗ ସନ୍ଦେହ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/07/HwwnDMiFxfBYhtWK9b1u.jpg)