ଆୟକର ଜାଲରେ ପଡ଼ିବେ ଅଚଳ ନୋଟ୍ ଜମାକାରୀ, ନୋଟିସ୍‌ ପଠାଇବା ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ବିମୁଦ୍ରୀକରଣ ସମୟରେ ଯେଉଁ ମୋଟା ଅଙ୍କର ଅଚଳ ନୋଟ୍‌ ଜମା କରାଯାଇଥିଲା ସେହି ଜମାକାରୀଙ୍କ ପାଖକୁ ଆୟକର ବିଭାଗ ନୋଟିସ୍‌ ପଠାଇବା ଆରମ୍ଭ କରିଛି। କରୋନା ମହାମାରୀ ବ୍ୟାପିବା ପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଭିତ୍ତିକ ନୋଟିସ୍‌ ନପଠାଇବାକୁ ଆୟକର ଅଧିକାରୀମାନଙ୍କୁ କୁହାଯାଇଥିଲା। ସେି କଟକଣାକୁ ପ୍ରତ୍ୟାହାର କରିନିଆଯାଇଥିବାରୁ ଆଗାମୀ ଦିନରେ ଆୟକର ବିଭାଗ ପଠାଉଥିବା ନୋଟିସ୍ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ୨୦୧୬ ନଭେମ୍ବର ୮‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ବିମୁଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଥ‌ିଲେ। ‌ପୁରୁଣା ନୋଟ୍ ବଦଳାଇ ନୂଆ ନୋଟ୍ ନେବା ଲାଗି ଲୋକମାନଙ୍କୁ କିଛିଦିନର ମହଲତ ଦିଆଯାଇଥିଲା। ସେହି ସମୟରେ ଅ‌ନେକ ଲୋକ କଳାଧନକୁ ଧଳାରେ ପରିଣତ କରିବା ଲାଗି ବିଭିନ୍ନ ବ୍ୟାଙ୍କ ଖାତାରେ ବିପୁଳ ଟଙ୍କାର ଅଚଳ ନୋଟ୍ ଜମା କରିଥିଲେ। ଯେଉଁ ଖାତାରେ ଅଚଳ ଟଙ୍କା ଜମା ହେବାରେ ଅସଙ୍ଗତି ଦେଖାଦେଉଛି ସେହି ମାମଲାଗୁଡ଼ିକୁ ଆୟକର ବିଭାଗ ଚିହ୍ନଟ କରୁଛି। ଜମାରାଶିର ଉତ୍ସ କ’ଣ ତାହା ଜଣାଇବା ଲାଗି ଜମାକାରୀଙ୍କୁ କୁହାଯାଉଛି। ଯେଉଁମାନେ ଆୟ ଉତ୍ସର ସନ୍ତୋଷଜନକ ଉତ୍ତର ଦେଇପାରିବେ ନାହିଁ, ସେମାନଙ୍କୁ ପୁଣି ଥରେ ଆୟକର ରିଟର୍ଣ୍ଣ ଦାଖଲ କରି ସୁଧ ସମେତ ଟିକସ ଦେବାକୁ କୁହାଯିବ। ବିମୁଦ୍ରୀକରଣ ସମୟର ଜମାଗୁଡ଼ିକ ସମ୍ପର୍କିତ ନୋଟିସ୍‌ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପଠାଇହେବ।

ଚଳିତ ବର୍ଷର ଦ୍ବିତୀୟ ତ୍ରୟମାସରେ ପ୍ରତ୍ୟକ୍ଷ ଟିକସ ଆଦାୟରେ ୨୦ ପ୍ରତିଶତ ହ୍ରାସ ଘଟିଛି। ନୋଟିସ୍ ପଠାଇବା ସମ୍ପର୍କିତ କଟକଣାକୁ ସେପ୍ଟେମ୍ବର ୧୮ରେ ପ୍ରତ୍ୟାହାର କରିନିଆଯାଇଥିବାରୁ ଆଗାମୀ ଦିନରେ ନୋଟିସ୍ ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି। ଜିଏସ୍‌ଟି ବିଭାଗର ଗୁଇନ୍ଦା ସଂସ୍ଥା ମଧ୍ୟ ବିମୁଦ୍ରୀକରଣ ସମୟର ଜମାକୁ ନେଇ ନୋଟିସ୍ ପଠାଉଛି। କେନ୍ଦ୍ରୀୟ ଜିଏସ୍‌ଟି ନିୟମର ଧାରା ୭୦ରେ ଏହି କ୍ଷମତା ଦିଆଯାଇଛି। ଏହି ସଂସ୍ଥା ଆୟକର ବିଭାଗ, ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନରୁ ସୂଚନା ପାଉଛି। ସେହି ଅନୁସାରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଯେଉଁ ସବୁ କାରବାର ଉପରେ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକର ସନ୍ଦେହ ସୃଷ୍ଟି ହେଉଛି, ସେହି ମାମଲାଗୁଡ଼ିକୁ ମଧ୍ୟ ଆୟକର ବିଭାଗ ନିକଟକୁ ପଠାଯାଇଛି। ଆୟକର ଧାରା ୧୪୮ ଅନୁସା‌ରେ ଆୟକର ବିଭାଗ ୬ ବର୍ଷ ଭିତରେ ପୁନଃ ଟିକସ ଅନୁଶୀଳନ ପାଇଁ ନୋଟି୍ସ ପଠାଇପାରିବେ।

ସମ୍ବନ୍ଧିତ ଖବର