ନୂଆଦିଲ୍ଲୀ: ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନେ ବେଶ ମୋଟା ଅଙ୍କର ରୋଜଗାର କରୁଛନ୍ତି ଓ ସେମାନେ ସେହି ଅନୁସାରେ ଟିକସ ଦେଉନଥିବା ଆୟକର ବିଭାଗ ସନ୍ଦେହ କରୁଛି। ବିଭାଗ ଭାବୁଛି ଯେ ୟୁଟ୍ୟୁବ୍, ଇନଷ୍ଟାଗ୍ରାମ୍ ଆଦିରେ ଥିବା ଇନ୍ଫ୍ଲୁଏନ୍ସରମାନେ ନିଜ ଆୟର ସଠିକ୍ ବିବରଣୀ ଦେଉନାହାନ୍ତି। ସେଥିପାଇଁ ୧୦ ୟୁଟ୍ୟୁବର ଓ ଆଉ କିଛି ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ଆୟକର ବିଭାଗ ନୋଟିସ୍ ପଠାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କେରଳର ଯୁବ କଳାକାର କିମ୍ବା ଅଭିନେତା।
ଡାଟା ଆନାଲିଟିକ୍ସ ବ୍ୟବହାର କରି ଆୟକର ବିଭାଗ ଜାଣିବାକୁ ପାଇଛି ଯେ ଏହି ଇନ୍ଫ୍ଲୁଏନ୍ସରମାନେ ମୋଟା ଅଙ୍କର ରୋଜଗାର କରୁଛନ୍ତି। ମାତ୍ର ଟିକସ ପଇଠ କରିବା ବେଳେ ତାହାର ସଠିକ୍ ସୂଚନା ଦେଉନାହାନ୍ତି। ସଚେତନତାର ଅଭାବରୁ ଏଭଳି ଘଟୁଥାଇପାରେ ବୋଲି ବିଭାଗ ଭାବୁଛି। ଇନ୍ଫ୍ଲୁଏନ୍ସର ସେହିମାନଙ୍କୁ କୁହାଯାଉଛି ଯେଉଁମାନେ ନିଜର ଭିଡିଓ କିମ୍ବା ଲେଖା ଜରିଆରେ ଅନ୍ୟମାନଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିବାର ଶକ୍ତି ରଖିଛନ୍ତି। ବିଭିନ୍ନ ଉତ୍ପାଦ, ସେବା ଓ ବ୍ରାଣ୍ଡ୍ର ସେମାନେ ପ୍ରଚାର ମଧ୍ୟ କରୁଛନ୍ତି। ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସରଙ୍କ ଡେବିଟ୍ ଓ କ୍ରେଡିଟ୍ କାର୍ଡ ବ୍ୟୟ, ବିଭିନ୍ନ ସୋସିଆଲ ମିଡିଆରେ ସେମାନଙ୍କ ଭିଡିଓ ଓ ଲେଖାର ଲୋକପ୍ରିୟତା, ବ୍ରାଣ୍ଡ୍ ପ୍ରଚାରରୁ ଆଦି ଆଦିକୁ ଭଲଭାବେ ଅନୁଶୀଳନ କରିବା ପରେ ଆୟକର ବିଭାଗ ନୋଟିସ୍ ଜାରି କରିଛି। ଡିଟିଏସ୍ ତଥ୍ୟକୁ ମଧ୍ୟ ଏଥିପାଇଁ ବ୍ୟବହାର କରାଯାଇଛି।