କଂଗ୍ରେସର ଦୁଇ ବିଧାୟକଙ୍କ ଘରୁ ମିଳିଲା ଟଙ୍କାର ପାହାଡ

ରାଞ୍ଚି: ଝାଡଖଣ୍ଡର ଦୁଇ କଂଗ୍ରେସ ବିଧାୟକ ଏବଂ ସେମାନଙ୍କ ସହଯୋଗୀଙ୍କ ସମେତ କିଛି ବ୍ୟବସାୟୀଙ୍କ ଘରେ ଆଜି ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି | ଏହି ଚଢ଼ାଉ ସମୟରେ ଆୟକର ବିଭାଗ ପ୍ରାୟ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେନାମୀ କାରବାର ଏବଂ ପୁଞ୍ଜି ବିନିଯୋଗ ବାବଦରେ ଜାଣିବାକୁ ପାଇଛି | ଏନେଇ ଆୟକର ବିଭାଗ କହିଛି ଯେ ନଭେମ୍ବର ୪ରେ ରାଞ୍ଚି, ଗୋଡା, ବେରମୋ, ଦୁମକା, ଜାମସେଦପୁର, ଚାଇବାସା, ବିହାରର ପାଟନା, ହରିୟାଣାର ଗୁରୁଗ୍ରାମ ସହ ପଶ୍ଚିମବଙ୍ଗର କୋଲକାତା ସମେତ ୫୦ ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଆୟକର ଅଧିକାରୀମାନେ ମଧ୍ୟ ଏହି ଚଢ଼ାଉ ସମୟରେ ନଗଦ ୨ କୋଟି ଟଙ୍କା ଜବତ କରିଥିଲେ | ତେବେ ଏତେ ମାତ୍ରାରେ ବେଆଇନ ଟଙ୍କା ଦେଖିବାକୁ ମିଳିଥିଲା ଯେ, ଟଙ୍କା ଗଣିବା ପାଇଁ ମେସିନ୍ ବ୍ୟବହାର କରିବାକୁ ପଡିଥିଲା |

ଆୟକର ବିଭାଗ ଯେଉଁ ଦୁଇ କଂଗ୍ରେସ ବିଧାୟକଙ୍କ ଘରେ ରେଡ କରିଥିଲା ସେମାନଙ୍କ ନାମ ହେଉଛି କୁମାର ଜୟମଙ୍ଗଲ ଏବଂ ପ୍ରଦୀପ ଯାଦବ । ବେରମୋ ଆସନରୁ ବିଧାୟକ ଥିବା ଜୟମଙ୍ଗଲ ଏହି ଚଢ଼ାଉକୁ ସ୍ୱୀକାର କରିଛନ୍ତି ଓ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି। ସୂଚନା ଥାଉ କି ଝାଡ଼ଖଣ୍ଡରେ ଏବେ ହେମନ୍ତ ସୋରେନଙ୍କ ନେତୃତ୍ୱରେ କଂଗ୍ରେସ ସହ ଜେଏମଏମର ଗଠବନ୍ଧନର ସରକାର ରହିଛି |

ଆୟକର ବିଭାଗ କହିଛି ଯେ ଲୁହାପଥର ଖଣି, କୋଇଲା କାରବାର, ପରିବହନ ସହିତ ଜଡିତ କେତେକ ବ୍ୟବସାୟିକ ଗୋଷ୍ଠୀ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭାଗ କହିଛି ଯେ ଯେଉଁମାନଙ୍କ ଘର ଖୋଜା ଯାଇଥିଲା ସେମାନଙ୍କ ମଧ୍ୟରୁ ଦୁଇଜଣ ବିଧାୟକ ଥିବାବେଳେ ୨ କୋଟିରୁ ଅଧିକ ନଗଦ ଟଙ୍କା ମଧ୍ୟ ଉଦ୍ଧାର କରାଯାଇଛି ଓ ଚଢ଼ାଉ ସମୟରେ ବହୁ ସଂଖ୍ୟକ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ ପ୍ରମାଣ ମଧ୍ୟ ମିଳିଛି। ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, “ଏହି ପ୍ରମାଣଗୁଡ଼ିକର ପ୍ରାଥମିକ ବିଶ୍ଳେଷଣରୁ ଜଣାପଡିଛି ଯେ ଏହି ଗୋଷ୍ଠୀମାନେ ଟିକସ ଫାଙ୍କିବା ପାଇଁ ବିଭିନ୍ନ ଅସଦ ଉପାୟ ଅବଲମ୍ବନ କରିଛନ୍ତି।

ସମ୍ବନ୍ଧିତ ଖବର