ଚେନ୍ନାଇ: ଧାର୍ମିକ ଗୁରୁ ‘କଳ୍କୀ ଭଗବାନ’ଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ଆଶ୍ରମ ଏବଂ ଏହା ସହ ସଂପୃକ୍ତ ବିଭିନ୍ନ ଟ୍ରଷ୍ଟ୍ରେ ଆୟକର ଚଢ଼ଉ ହୋଇଛି ଏବଂ ୫୦୦ କୋଟିରୁ ଅଧିକ ଟଙ୍କାର ଅଘୋଷିତ ସମ୍ପତ୍ତି ଠାବ ହୋଇଛି। ଚଢ଼ଉ ସମୟରେ ୪୦୯ କୋଟି ଟଙ୍କାର ଅଘୋଷିତ କ୍ୟାସ୍ ରସିଦ୍ ମଧ୍ୟ ଜବତ ହୋଇଛି। ନଗଦ ୪୩.୯ କୋଟି ଟଙ୍କା, ୧୮ କୋଟି ଟଙ୍କା ମୂଲ୍ୟର ଆମେରିକୀୟ ଡଲାର ଏବଂ ବିପୁଳ ପରିମାଣରେ ସୁନା ଓ ହୀରା ମଧ୍ୟ ଜବତ ହୋଇଛି। ୮୮ କିଲୋ ସୁନା ଅଳଙ୍କାର ଜବତ ହୋଇଛି, ଯାହାର ମୂଲ୍ୟ ୨୬ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ଜବତ ହୋଇଥିବା ହୀରାର ମୂଲ୍ୟ ୫ କୋଟିରୁ ଅଧିକ ହେବ। ଆତ୍ମଘୋଷିତ ଧାର୍ମିକ ଗୁରୁଙ୍କର ପ୍ରାୟ ୪୦ଟି ପରିସରରେ ଚଢ଼ଉ ହୋଇଛି। ଚେନ୍ନାଇ, ହାଇଦ୍ରାବାଦ୍, ବେଙ୍ଗାଲୁରୁ ଏବଂ ଆନ୍ଧ୍ରପ୍ରଦେଶର ବରଦେୟାପଲେମ୍ର ବିଭିନ୍ନ ସ୍ଥାନରେ ଆୟକର ଅଧିକାରୀମାନେ ଗତକାଲିଠାରୁ ଆରମ୍ଭ କରିଥିବା ଚଢ଼ଉ ଆଜି ମଧ୍ୟ ଜାରି ରଖିଛନ୍ତି। ଟିକସ ଫାଙ୍କିବା ପାଇଁ ଏହି ଗୁରୁଙ୍କର ଟ୍ରଷ୍ଟ୍ ଭାରତ ସମେତ ବିଦେଶରେ ବିଭିନ୍ନ କମ୍ପାନିରେ ପୁଂଜି ନିବେଶ କରିଛି। କିଛି କମ୍ପାନି ଚୀନ୍, ଆମେରିକା, ସିଙ୍ଗାପୁର ଏବଂ ୟୁଏଇରେ ରହିଛି। ଅନେକ ବିଦେଶୀ ନାଗରିକ କଳ୍କୀ ଭଗବାନଙ୍କ ସଂସ୍ଥା ସହ ସଂପୃକ୍ତ ଅଛନ୍ତି। ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡ଼ୁରେ ବି ଏହି ସଂସ୍ଥା ବିଭିନ୍ନ ସ୍ଥାନରେ ଜମି କିଣିଛି।
କଳ୍କୀ ଭଗବାନ ଓରଫ୍ ବିଜୟ କୁମାରଙ୍କର ବୟସ ହେଉଛି ୭୦। ତାମିଲନାଡ଼ୁର ଭେଲୋର ଜିଲ୍ଲା ଅନ୍ତର୍ଗତ ନାଥମ୍ ଗ୍ରାମରେ ଜନ୍ମିତ ଏହି ଆତ୍ମଘୋଷିତ ଧର୍ମଗୁରୁ ନିଜକୁ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର ବୋଲି ପ୍ରଚାର କରିଆସୁଛନ୍ତି। ୧୯୮୦ରେ ସେ ଜୀବାଶ୍ରମ ସ୍କୁଲ୍ ନାମରେ ବିକଳ୍ପ ଶିକ୍ଷା ପ୍ରତିଷ୍ଠାନ ସ୍ଥାପନ କରିଥିଲେ। ଆଶ୍ରମ ସ୍ଥାପନ କରିବା ପୂର୍ବରୁ ବିଜୟ କୁମାର ଏଲ୍ଆଇସିରେ ଜଣେ କିରାଣି ଥିଲେ। ଆଶ୍ରମ ସ୍ଥାପନ ହେବା ପରେ ଏହାକୁ ବିଜୟ କୁମାର, ତାଙ୍କ ପତ୍ନୀ ପଦ୍ମାବତୀ ଏବଂ ପୁଅ ଏନ୍କେଭି କ୍ରିଷ୍ଣା ପରିଚାଳନା କରୁଥିଲେ। ପଦ୍ମାବତୀ ତାଙ୍କ ଅନୁଗାମୀ ମହଲରେ ‘ଆମ୍ମା’ ନାମରେ ପରିଚିତ।