ସପା ନେତାଙ୍କ ଘରେ ଆୟକର ଚଢ଼ଉ

ବିରୋଧୀଙ୍କୁ ଟାର୍ଗେଟ୍‌ କରିବାକୁ କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରାଯାଉଛି: ଅଖି‌ଳେଶ

ଲକ୍ଷ୍ନୌ, : ଉତ୍ତରପ୍ରଦେଶର କାନପୁର, କନୌଜ ଏବଂ ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ଆଜି କିଛି ବ୍ୟବସାୟୀଙ୍କ ବାସଭବନରେ ଆୟକର ଚଢ଼ଉ ହୋଇଛି। ସମାଜବାଦୀ ପାର୍ଟି ଏମ୍‌ଏଲ୍‌ସି (ବିଧାନ ପରିଷଦ ସଦସ୍ୟ) ପୁଷ୍ପରାଜ ଜୈନ ଓରଫ୍‌ ପାମ୍ପି ଜୈନଙ୍କ ସମେତ ୨ ଜଣ ପର୍ଫ୍ୟୁମ୍‌ ବ୍ୟବସାୟୀଙ୍କ ଘରେ ଆଜି ଆୟକର ଚଢ଼ଉ ହୋଇଛି ।

ପର୍ଫ୍ୟୁମ୍‌ ବ୍ୟବସାୟୀଙ୍କ ୪୦ଟି ସ୍ଥାନରେ ଆଜି ଚଢ଼ଉ ହୋଇଛି। ତଦନ୍ତରୁ ଜଣାପଡ଼ିଛି ‌ଯେ, କୋଟି କୋଟି ଟଙ୍କାର ଟିକସ ଫାଙ୍କି ହୋଇଛି। ଆଗକୁ ଉତ୍ତରପ୍ରଦେଶ ବିଧାନସଭା‌ ନିର୍ବାଚନ ଥିବାବେଳେ ଏହାର ଠିକ୍‌ ପୂର୍ବରୁ ସପା ନେତାଙ୍କ ଘରେ ଆୟକର ଚଢ଼ଉ ହେବାକୁ ସପା କଡ଼ା ବିରୋଧ କରିଛି। ସପା ସଭାପତି ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ପୁଷ୍ପରାଜ ଜୈନ ନିକଟରେ ‘ସମାଜବାଦୀ ଅତର’ ଆରମ୍ଭ କରିଥିଲେ। ଆଜି କନୌଜର ଅନ୍ୟ ଜଣେ ବ୍ୟବସାୟୀ ମହମ୍ମଦ ୟାକୁବଙ୍କ ବାସଭବନରେ ମଧ୍ୟ ଚଢ଼ଉ ହୋଇଛି। ସପା ସୁପ୍ରିମୋ ଅଖିଳେଶ ଯାଦବ ଆଜି ବିଜେପି ବିରୋଧରେ ପ୍ରବଳ ବର୍ଷିଛନ୍ତି। ଅଖିଳେଶ କହିଛନ୍ତି, ବିରୋଧୀଙ୍କୁ ଟାର୍ଗେଟ୍‌ କରିବାପାଇଁ କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକର ଅପବ୍ୟବହାର କରାଯାଉଛି।

ଉକ୍ତ ପ୍ରସଙ୍ଗରେ ସେ ନିର୍ବାଚନ କମିସନ୍‌ ଏବଂ ରାଷ୍ଟ୍ରପତିଙ୍କୁ ଭେଟିବେ ବୋଲି ଅଖିଳେଶ କହିଛନ୍ତି। ପୁଷ୍ପରାଜଙ୍କ ବାସଭବନରେ ଆୟକର ଚଢ଼ଉ ସଂକ୍ରାନ୍ତରେ ମତ ରଖି ଅଖିଳେଶ କହିଛନ୍ତି, କେନ୍ଦ୍ର ସରକାର ପୂର୍ବରୁ ଭୁଲ୍‌ ଲୋକଙ୍କ ଘରେ ଚଢ଼ଉ କରିଥିଲେ। ପୂର୍ବ ଭୁଲ୍‌କୁ ସୁଧାରିବାପାଇଁ ଏବେ ବିଧାନ ପରିଷଦ ସଦସ୍ୟଙ୍କ ଘରେ ଚଢ଼ଉ କରାଯାଉଛି।

ସମ୍ବନ୍ଧିତ ଖବର