ମୁମ୍ବାଇ: ଆୟକର ବିଭାଗ ଅଧିକାରୀମାନେ ଗୁରୁବାର ଦିନ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍‌ (ବିଏମସି) ପାଇଁ କାର୍ଯ୍ୟ କରୁଥିବା କେତେକ ଠିକାଦାରଙ୍କ ଉପରେ ଚଢ଼ାଉ କରିଛନ୍ତି। ଆୟକର ବିଭାଗ ପକ୍ଷରୁ ୩୫ଟି ସ୍ଥାନରେ ହୋଇଥିବା ଏହି ଚଢ଼ାଉ କାଳରେ ୩.୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଏବଂ ପ୍ରାୟ ୧୩୦ କୋଟି ଟଙ୍କାର ତିନି ଡଜନ ସ୍ଥାବର ସମ୍ପତ୍ତିର ଦସ୍ତାବିଜ ସମେତ ବହୁ ଆପତ୍ତିଜନକ କାଗଜପତ୍ର ଜବତ ହୋଇଛି।

Advertisment

ଅଭିଯୁକ୍ତମାନେ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଆୟକର ଫାଙ୍କିଥିବା ଏହି ଚଢ଼ାଉ କାଳରେ ଜଣାପଡ଼ିଛି। ଗୁରୁବାର ଦିନ ଏଠାରେ ଅର୍ଥ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଠିକାଦାରମାନେ ଆନ୍ତର୍ଜାତୀୟ ହାୱାଲା କାରବାର ମାଧ୍ୟମରେ ସେମାନଙ୍କର ହିସାବ ବହିର୍ଭୂତ ଅର୍ଥକୁ କିଛି ବିଦେଶୀ କ୍ଷେତ୍ରକୁ ନେଇ ଯାଇଛନ୍ତି ଏବଂ ବେନାମୀ ସମ୍ପତ୍ତି କ୍ରୟରେ ମଧ୍ୟ ଲିପ୍ତ ଅଛନ୍ତି।

ଆୟକର ଅଧିକାରୀଙ୍କ କହିବାନୁସାରେ, ଜବତ ହୋଇଥିବା ଦସ୍ତାବିଜରୁ ଜଣାପଡିଛି ଯେ ଅଭିଯୁକ୍ତ ଠିକାଦାରମାନେ ସେମାନଙ୍କ ଖର୍ଚ୍ଚ ବୃଦ୍ଧି କରି ଟିକସଯୋଗ୍ୟ ଆୟକୁ ଫାଙ୍କିବାରେ ସମର୍ଥ ହୋଇଥିଲେ। ଚଢ଼ାଉ ସମୟରେ ଆୟକର ଅଧିକାରୀମାନେ ଅନେକ ଆପତ୍ତିଜନକ ଦସ୍ତାବିଜ ଏବଂ ଡିଜିଟାଲ୍‌ ପ୍ରମାଣ ଜବତ କରିଥିଲେ ଯାହା ହାୱାଲା କାରବାରର ପ୍ରମାଣ ଦେଉଛି। ଚଢ଼ାଉ କାଳରେ ୧୩୦ କୋଟିର ସ୍ଥାବର ସମ୍ପତ୍ତି ନଗଦ ୨ କୋଟି ଟଙ୍କା ଏବଂ ୧.୫ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଜବତ ହୋଇଛି।