ଦୈନିକ ସଂକ୍ରମଣରେ ୪୦% ବୃଦ୍ଧି, ୪୨ହଜାର ନୂଆ ମାମଲା

ନୂଆଦିଲ୍ଲୀ: ଦୀର୍ଘ ୩ ମାସ ଧରି ଦେଶରେ ସଂକ୍ରମଣ ମାମଲା କମ୍‌ ରହିବା ପରେ ଏବେ ପୁଣି ବୃଦ୍ଧି ହୋଇଛି। ଦ୍ବିତୀୟ ଲହର ଶୀର୍ଷ ସମୟ ପରେ ପ୍ରଥମ ଥର ପାଇଁ ଦେଶରେ ସଂକ୍ରମଣ ବୃଦ୍ଧି ହୋଇଛି। ଦୈନିକ ସଂକ୍ରମଣରେ ଗତକାଲି ତୁଳନାରେ ଆଜି ୪୦ ପ୍ରତିଶତ ବୃଦ୍ଧି ଚିନ୍ତାର କାରଣ ହୋଇଛି। କେରଳରେ ସ୍ଥିତି ଅତି ଉଦ୍‌ବେଗଜନକ ହେଲାଣି। ଅନ୍ୟପକ୍ଷେ ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶରେ ବି ସଂକ୍ରମଣ ଅଧିକ ରହିଛି। ଉତ୍ତରାଖଣ୍ଡ ଏବଂ ହିମାଚଳରେ ସାପ୍ତାହିକ ହାରାହାରି ସଂକ୍ରମଣରେ ପ୍ରାୟ ୭୫ ପ୍ରତିଶତ ବୃଦ୍ଧି ପାଇଛି। ଜୁଲାଇ ୨୨ରେ ଶେଷ ‌ହୋଇଥିବା ସପ୍ତାହରେ ଦେଶରେ ୭ ଦିନ ଧରି ହାରାହାରି ଦୈନିକ ସଂକ୍ରମଣ ୩୭,୯୭୫ ଥିଲା କିନ୍ତୁ ଅଗଷ୍ଟ ୩ ରେ‌ ଶେଷ ହୋଇଥିବା ସପ୍ତାହରେ ପ୍ରତିଦିନ ହାରାହାରି ଦୈନିକ ସଂକ୍ରମଣ ୪୦,୭୧୦ ରହୁଥିଲା। ଜାତୀୟ ପଜିଟିଭ୍‌ ହାର ମଧ୍ୟ ଗତ ୨ ସପ୍ତାହରେ ୨ ପ୍ରତିଶତରୁ ୨.୪ ପ୍ରତିଶତକୁ ବୃଦ୍ଧି ପାଇଛି।

ଦେଶରେ ଆଜି ୪୨,୬୨୫ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୫୬୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତକାଲି ଦେଶରେ ସଂକ୍ରମଣ ମାମଲା ୩୦,୫୪୯ ଥିବା ବେଳେ ଏଭଳି ଅପ୍ରତ୍ୟାଶିତ ବୃଦ୍ଧି ତୃତୀୟ ଲହର ଆଗମର ସଙ୍କେତ ଦେଉଛି। ଏବେ ଦେଶରେ ସକ୍ରିୟ ମାମଲା ୪,୧୦,୩୫୩ ରହିଥିବା ବେଳେ ବିଗତ ୨୪ ଘଣ୍ଟାରେ ୩୬,୬୬୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆଜି ପର୍ଯ୍ୟନ୍ତ ମୋଟ୍‌ ୩,୦୯,୩୩,୦୨୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୧.୨୯ ପ୍ରତିଶତ ରହିଛି। ବିଗତ ୨୪ ଘଣ୍ଟାରେ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। କେରଳରେ ସର୍ବାଧିକ ୨୩,୬୭୬ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୬,୦୦୫ ମାମଲା ଏବଂ ତାମିଲନାଡ଼ୁରେ ୧୯୦୮ ମାମଲା ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର