ଉତ୍କଟ ହେଉଛି ଜଳ ସଂକଟ

କାଳ ସାଜିଛି ଜନସଂଖ୍ୟା ବୃଦ୍ଧି, ବେଙ୍ଗାଲୁରୁ, ପୁନେରେ ବି କେପ୍‌ ଟାଉନ୍‌ ସ୍ଥିତି!

ବେଙ୍ଗାଲୁରୁ: ସାଂଘାତିକ ଜଳକଷ୍ଟ ପାଇଁ ବିଶ୍ୱରେ ଦକ୍ଷିଣ ଆଫ୍ରିକାର ସ୍ମାର୍ଟ ସିଟି କେପ୍‌ଟାଉନ୍‌ର ନାଁ ସର୍ବାଗ୍ରେ ରହିଥିବା ବେଳେ ଦକ୍ଷିଣ ଭାରତୀୟ ସହର ତଥା ଦେଶର ସିଲିକନ ଉପତ୍ୟକା ଭାବେ ପରିଚିତ ବେଙ୍ଗାଲୁରୁ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସହର ପୁନେରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜିବ ବୋଲବିଶେଷଜ୍ଞମାନେ ଏବେଠାରୁ ସତର୍କ କରାଇଦେଲେଣି। ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ୍‌ ଏନ୍‌ଭାରନ୍‌ମେଣ୍ଟ ପକ୍ଷରୁ ‘ଡାଉନ୍‌ ଟୁ ଆର୍ଥ’ ପତ୍ରିକାରେ ସଦ୍ୟ ପ୍ରକାଶିତ ତଥ୍ୟାନୁଯାୟୀ, ବିଶ୍ୱରେ ପାଖାପାଖି ୨୦୦ ସହର ଉତ୍କଟ ଜଳ ସମସ୍ୟାରେ ସନ୍ତୁଳି ହେଉଛନ୍ତି। ଏପରିକି ୨୦୫୦ ମସିହା ସୁଦ୍ଧା ଏହା ବିଶ୍ୱବ୍ୟାପୀ ପ୍ରମୁଖ ସମସ୍ୟା ଭାବେ ଉଭା ହେବ। ବର୍ତ୍ତମାନ ବେଙ୍ଗାଲୁରୁ ସହରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୈନିକ ୧୦୦ ଲିଟର ଜଳର ଆବଶ୍ୟକତା ରହୁଥିବା ବେଳେ ୫୦ ଲିଟର ଜଳ ମିଳିବା ମୁସ୍କିଲ ହୋଇଗଲାଣି। ୧୫ଶହ ଫୁଟ ଗଭୀରତା ଯାଏଁ ବୋରେଓ୍ଵଲ ଖୋଳିଲେ ମଧ୍ୟ ପାଣିର ସନ୍ଧାନ ମିଳିପାରୁନାହିଁ। ସହରରେ ଦେଖାଦେଇଥିବା ଜଳ ସଙ୍କଟ ସେତେଟା ଉଗ୍ର ହୋଇନଥିବା ବେଳେ ୨୦୨୩ ମସିହା ବେଳକୁ ସହରବାସୀ ପାଣି ପାଇଁ ଡହଳ ବିକଳ ହେବେ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଦେଶର ଏହା ପ୍ରଥମ ସହର ଯାହା କେପ୍‌ଟାଉନ୍‌ ଭଳି ଶୁଖିଲା ହେବାକୁ ଯାଉଛି ବୋଲି ଭାରତୀୟ ବିଜ୍ଞାନ ସଂସ୍ଥାନର ପରିବେଶବିତ୍‌ ଟି.ଭି.ରାମଚନ୍ଦ୍ର କହିଛନ୍ତି। ପୁନେ ସହରରେ ଯଦିଓ ଅଦ୍ୟାବଧି ସେଭଳି ସ୍ଥିତି ଉପୁଜିନାହିଁ, ତେବେ ଭବିଷ୍ୟତରେ ଅନୁରୂପ କାରଣରୁ ସେଠାରେ ମଧ୍ୟ କେପ୍‌ଟାଉନ୍‌ର ଛାପ ଦେଖିବାକୁ ମିଳିବ ବୋଲି ଉକ୍ତ ରିପୋର୍ଟରେ ଆଶଙ୍କା ପ୍ରକଟ କରାଯାଇଛି। ତେବେ ସହରର ଏହି ଜଳସଙ୍କଟର ମୁଖ୍ୟ କାରଣ କ୍ରମବର୍ଦ୍ଧିଷ୍ଣୁୁ ଜନସଂଖ୍ୟା ବୋଲି ଜଣାଯାଇଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ହଜାର ହଜାର ଆଶାୟୀ ଆଶାନୁରୂପ ବୃତ୍ତି ଖୋଜିବା ପାଇଁ ଏହି ସହରକୁ ଦୌଡ଼ି ଆସୁଥିବା ବେଳେ ଏଠାରେ ହିଁ ସେମାନେ ଥଇଥାନ ହେବା ପରେ ସ୍ଥାୟୀ ବାସିନ୍ଦା ହୋଇ ରହିଯାଉଛନ୍ତି। ସର୍ବେକ୍ଷଣ ଅନୁଯାୟୀ, ୨୦୧୨ ମସିହାରେ ବେଙ୍ଗାଲୁରୁରେ ୯୦ଲକ୍ଷ ଲୋକ ରହୁଥିବା ବେଳେ ପାଞ୍ଚ ବର୍ଷ ଭିତରେ ସହରର ଜନସଂଖ୍ୟା ବର୍ତ୍ତମାନ ୧କୋଟି ୧୦ଲକ୍ଷ ଟପି ସାରିଲାଣି। ଛୋଟବଡ଼ ହ୍ରଦ ପରି ସଂଖ୍ୟାଧିକ ଜଳଉତ୍ସକୁ ଧାରଣ କରିଥିବା ବେଙ୍ଗାଲୁରୁର ଅତୀତରେ ସ୍ୱତନ୍ତ୍ର ପରିଚିତି ଥିବା ବେଳେ ଏବେ ଅଧିକାଂଶ ଜଳଉତ୍ସ ଅନ୍ତର୍ଦ୍ଧାନ ହୋଇ ତାହା ବଦଳରେ କଂକ୍ରିଟ ଜଙ୍ଗଲ ଉଭା ହୋଇଛିି। ସମ୍ପ୍ରତି ଅବ୍ୟବସ୍ଥିତ ସହର ସମ୍ପ୍ରସାରଣ ଯୋଗୁଁ ଆଗକୁ ସମସଞା ଆହୁରି ଭୟଙ୍କ ହେବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର