ଚିନ୍ତା ବଢ଼ାଇଲେ ୨ ଚୀନ୍‌ ରୋଗୀ, ସୁସ୍ଥ ହେବା ପରେ ପୁନର୍ବାର ସଂକ୍ରମିତ

ବେଜିଂ : କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଚୀନ୍‌ର ୨ ଜଣ ରୋଗୀ ଏବେ ପୁଣି ଥରେ ଏଥିରେ ସଂକ୍ରମିତ ହୋଇଛନ୍ତି। ସୁସ୍ଥ ହେବାର ଅନେକ ମାସକ ପରେ ଏହି ୨ ଜଣ କରୋନା ରୋଗୀ ପୁନର୍ବାର ସଂକ୍ରମିତ ହେବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି। କରୋନାରେ ଥରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ବାରମ୍ବାର ସଂକ୍ରମିତ ହୋଇପାରନ୍ତି ବୋଲି ଯେଉଁ ଭୟ ରହିଥିଲା ତାହା ‌ଏହି ଘଟଣା ପରେ ଅଧିକ ଘନୀଭୂତ ହୋଇଛି। ହୁବେଇ ପ୍ରଦେଶର ଜଣେ ୬୮ ବର୍ଷୀୟା ମହିଳା ଏବେ ପୁଣି କରୋନା ସଂକ୍ରମିତ ହୋଇଛନ୍ତି। ସେ ପ୍ରାୟ ୬ ମାସ ତଳେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ। ସେହିପରି ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଗତ ଏପ୍ରିଲ୍‌ରେ କରୋନା ସଂକ୍ରମିତ ହୋଇଥିଲେ। ସେ ସୁସ୍ଥ ମଧ୍ୟ ହୋଇଥିଲେ। ଏବେ ସେ ପୁଣିଥରେ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ସବୁଠୁ ଆଚମ୍ବିତ ବିଷୟ ହେଉଛି ଏମାନଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ। ଉକ୍ତ ୨ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା କୌଣସି ବ୍ୟକ୍ତି ମଧ୍ୟ କରୋନା ସଂକ୍ରମିତ ହୋଇନାହାନ୍ତି। ୨ ଜଣ ରୋଗୀ କେବଳ ସନ୍ଦେହରେ କରୋନା ଟେଷ୍ଟ୍‌ କରିଥିଲେ ଏବଂ ସେମାନଙ୍କ ଟେଷ୍ଟ୍‌ ରିପୋର୍ଟ‌୍ ପଜିଟିଭ୍‌ ଆସିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଦକ୍ଷିଣ କୋରିଆରେ ମଧ୍ୟ ଏଭଳି କିଛି ମାମଲା ଦେଖିବାକୁ ମିଳିଛି। ଦକ୍ଷିଣ କୋରିଆରେ କରୋନାରୁ ସୁସ୍ଥ ହୋଇଥିବା କିଛି ରୋଗୀ ପୁଣିଥରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର