ନୂଆଦିଲ୍ଲୀ: ଦେଶବ୍ୟାପୀ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ମଧ୍ୟରେ କେନ୍ଦ୍ର ସରକାର ୧୦ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ପଠାଇଛନ୍ତି। ସଂକ୍ରମଣ ବୃଦ୍ଧି ହେଉଥିବା ରାଜ୍ୟ ଏବଂ କମ୍ ଟିକାକରଣ ଥିବା ୧୦ ରାଜ୍ୟରେ କେନ୍ଦ୍ରୀୟ ଟିମ୍ ମୁତୟନ ହୋଇଛନ୍ତି। ଏହି ୧୦ ରାଜ୍ୟ ମଧ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ୨ ରାଜ୍ୟ ଉତ୍ତରପ୍ରଦେଶ ଏବଂ ପଂଜାବ ଅଛି। ଉକ୍ତ ୨ ରାଜ୍ୟ ସହିତ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର ଏବଂ ଝାଡ଼ଖଣ୍ଡକୁ କେନ୍ଦ୍ର ସରକାର ଟିମ୍ ପଠାଇଛନ୍ତି। ୫ ଦିନ ପାଇଁ ଉପରୋକ୍ତ ରାଜ୍ୟମାନଙ୍କରେ କେନ୍ଦ୍ରୀୟ ଟିମ୍ ରହିବେ। କେନ୍ଦ୍ରୀୟ ଟିମ୍ ରାଜ୍ୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନଙ୍କ ସହ ମିଶି କାମ କରିବେ। ସେମାନେ ପ୍ରତି ରାଜ୍ୟରେ ଟିକାକରଣ ହାରକୁ ଭଲଭାବେ ଚେକ୍ କରିବେ ଏବଂ ହସ୍ପିଟାଲ୍ ଭିତ୍ତିଭୂମି ସଂକ୍ରାନ୍ତ ସ୍ଥିତି ସମୀକ୍ଷା କରିବେ। କେନ୍ଦ୍ରୀୟ ଟିମ୍ ମୁତୟନ ହୋଇଥିବା ଉପରୋକ୍ତ ୧୦ ରାଜ୍ୟମାନଙ୍କରେ ଜାତୀୟ ହାରାହାରି ଠାରୁ ଟିକାକରଣ ମଧ୍ୟ କମ୍ ରହିଛି। କେନ୍ଦ୍ରୀୟ ଟିମ୍ ଏହି ରାଜ୍ୟମାନଙ୍କରେ ନିୟମିତ ସ୍ଥିତି ଯାଞ୍ଚ କରିବା ସହ ପ୍ରତିଦିନ ସନ୍ଧ୍ୟା ୭ଟା ସୁଦ୍ଧା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ।
କେନ୍ଦ୍ର ସରକାର ୫ ରାଜ୍ୟରେ ସବୁଠୁ ଅଧିକ ସକ୍ରିୟ ମାମଲା ଥିବା ଚିହ୍ନଟ କରିଛନ୍ତି। ଏହିସବୁ ରାଜ୍ୟଗୁଡ଼ିକ ହେଉଛି କେରଳ (୨୬,୨୬୫), ମହାରାଷ୍ଟ୍ର (୧୨,୧୦୮), ପଶ୍ଚିମବଙ୍ଗ (୭,୪୬୬), ତାମିଲନାଡ଼ୁ(୬,୭୯୮)। ଅନ୍ୟପକ୍ଷେ କମ୍ ସକ୍ରିୟ ମାମଲା ଥିବା ରାଜ୍ୟଗୁଡ଼ିକ ହେଉଛି ମିଜୋରାମ (୧୪୯୮), ବିହାର (୭୯), ଝାଡ଼ଖଣ୍ଡ (୨୭୨)। ତେବେ ପଶ୍ଚିମବଙ୍ଗ, କେରଳ, ମହାରାଷ୍ଟ୍ର, ପଂଜାବ ଏବଂ ମିଜୋରାମରେ କମ୍ ଟିକାକରଣ ନେଇ କେନ୍ଦ୍ର ସରକାର ଗତ ମାସରେ ସଚେତନ କରାଇଥିଲେ। ଇତି ମଧ୍ୟରେ ଶୁକ୍ରବାର ଦିନ ଦେଶରେ ୫୭ ନୂଆ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୧୦୮ ଓମିକ୍ରନ୍ ମାମଲା ଥିବାବେଳେ ଦିଲ୍ଲୀରେ ୭୯ ଏବଂ ଗୁଜରାଟରେ ୪୩ ଓମିକ୍ରନ୍ ମାମଲା ରହିଛି।
ଆକ୍ରାନ୍ତ ସଂଖ୍ୟା ୪୩୭ ଛୁଇଁଲା ମହାରାଷ୍ଟ୍ରରେ ସର୍ବାଧିକ ୧୧୦ ସଂକ୍ରିମତ
ବେଙ୍ଗାଲୁରୁ : ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ଆଜି ୨ ନୂଆ ଓମିକ୍ରନ୍ ମାମଲା ଚିହ୍ନଟ ହେବାସହ ରାଜ୍ୟରେ ସର୍ବାଧିକ ୧୧୦ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ତେଲେଙ୍ଗାନାରେ ୩ ନୂଆ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ତେଲେଙ୍ଗାନାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୧। ଆଜି ରାଜସ୍ଥାନରେ ୨୧ ନୂଆ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ରହିଛି। ଦିଲ୍ଲୀରେ ୭୯ ଓମିକ୍ରନ୍ ମାମଲା ଥିବାବେଳେ ଗୁଜରାଟରେ ୪୩ ମାମଲା ସାମ୍ନାକୁ ଆସିଛି। ସେହିପରି କେରଳରେ ମୋଟ୍ ୩୮ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି ଏବଂ ତାମିଲନାଡ଼ୁରେ ୩୪ ମାମଲା ରହିଛି। ସଂକ୍ରମଣ ବଢ଼ିବାରୁ ବିଭିନ୍ନ ରାଜ୍ୟରେ କଟକଣା କଡ଼ାକଡ଼ି ହୋଇଛି। ତେଲେଙ୍ଗାନାରେ ଜାନୁଆରି ୨ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସାର୍ବଜନୀନ କାର୍ଯ୍ୟକ୍ରମ ଏବଂ ରୢାଲି ବନ୍ଦ ରହିଛି। ତେବେ କରୋନା କଟକଣା ମଧ୍ୟରେ ତେଲେଙ୍ଗାନରେ ନ୍ୟୁ ଇୟର ପାର୍ଟିକୁ ଅନୁମତି ମିଳିଛି। ଆସାମରେ ଆସନ୍ତାକାଲିଠାରୁ ରାତି ୧୧.୩୦ରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ।
ଦେଶରେ ଗତ ୨୪ ଘଣ୍ଟାରେ ୭,୧୮୯ ନୂଆ ମାମଲା ଚିହ୍ନଟ ହେବା ସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୪୭,୭୯,୮୧୫ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ୭୭,୦୩୨ ରହିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୨୨ ପ୍ରତିଶତ। ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୪,୭୯,୫୨୦ ରହିଛି। ଗତ ୧୫ ଦିନ ଧରି ଦେଶରେ କରୋନା ସଂକ୍ରମଣ ୧୫ ହଜାର ତଳେ ରହିଛି। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୮.୪୦ ପ୍ରତିଶତ ରହିଛି ।