ବଢ଼ିଲା ସହରାଞ୍ଚଳ ଆବାସ ଯୋଜନା ଅବଧି

କ୍ୟାବିନେଟ ମଞ୍ଜୁରି, ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଜାରି ରହିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ସହରାଞ୍ଚଳ (ପିଏମ୍‌ଏୱାଇ-ୟୁ) – ‘ସମସ୍ତଙ୍କ ପାଇଁ ଆବାସ’ ଅଭିଯାନ। ଏ ସଂକ୍ରାନ୍ତରେ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଓଏଚ୍‌ୟୁଏ)ର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଏହି ଯୋଜନା ଅଧୀନରେ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ମଞ୍ଜୁର ହୋଇଥିବା ୧୨୨.୬୯ ଲକ୍ଷ ଆବାସ ସମ୍ପୂର୍ଣ୍ଣ କରିବା ଲାଗି ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

‘ପିଏମଏୱାଇ-ୟୁ : ସମସ୍ତଙ୍କ ପାଇଁ ଆବାସ’ ଭାରତ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଏକ ପ୍ରମୁଖ ଫ୍ଲାଗ୍‌ସିପ କାର୍ଯ୍ୟକ୍ରମ ଯାହା ମାଧ୍ୟମରେ ଦେଶର ସହରାଞ୍ଚଳରେ ଥିବା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସବୁ ଋତୁ ପାଇଁ ଅନୁକୂଳ ପକ୍କାଘର ଯୋଗାଇ ଦିଆଯାଉଛି। ରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶ, କେନ୍ଦ୍ରୀୟ ନୋଡାଲ ଏଜେନ୍ସି ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଦେଶର ସବୁ ସହରାଞ୍ଚଳକୁ ଏହି ଯୋଜନାରେ ସାମିଲ କରାଯାଇଛି। ବିଜ୍ଞାପିତ ଯୋଜନା/ବିକାଶ କ୍ଷେତ୍ର ସମେତ ୨୦୧୧ ଜନଗଣନା ଅନୁଯାୟୀ ସବୁ ବୈଧାନିକ ସହର ଏବଂ ଏହାପରେ ବିଜ୍ଞାପିତ ହୋଇଥିବା ସବୁ ସହରରେ ଯୋଜନା କାର୍ଯ୍ୟକାରୀ ହେଉଛି। ଚାରିଟି ବର୍ଗରେ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି, ଯଥା: ହିତାଧିକାରୀ ପରିଚାଳିତ ନିର୍ମାଣ/ସମ୍ପ୍ରସାରଣ (ବିଏଲ୍‌ସି), ସହଭାଗିତା ଭିତ୍ତିରେ ଶସ୍ତା ଆବାସ (ଏଏଚ୍‌ପି), ସ୍ଥାନୀୟ ବସ୍ତି ପୁନର୍ବିକାଶ (ଆଇଏସ‌୍ଏସ୍‌ଆର) ଏବଂ ଋଣଭିତ୍ତିକ ସବ୍‌ସିଡି ଯୋଜନା (ସିଏଲ୍‌ଏସ୍‌ଏସ୍‌)। ଏହି ଯୋଜନା ପାଇଁ ଭାରତ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର/କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ହିତାଧିକାରୀଙ୍କୁ ଚୟନ କରିବା ସହିତ ଯୋଜନାକୁ କାର୍ଯ୍ୟକାରୀ କରିଥାନ୍ତି।

୨୦୦୪-୨୦୧୪ ଅବଧିରେ ସହରାଞ୍ଚଳ ଆବାସ ଯୋଜନା ଅଧୀନରେ ମାତ୍ର ୮.୦୪ ଲକ୍ଷ ଆବାସ ସମ୍ପୂର୍ଣ୍ଣ ହୋଇଥିଲା। ମୋଦୀ ସରକାରଙ୍କ ଅମଳରେ, ସବୁ ଯୋଗ୍ୟ ସହରାଞ୍ଚଳ ବାସହୀନଙ୍କୁ ଘର ଯୋଗାଣ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହାକୁ ଆଧାର କରି ପିଏମ୍‌ଏୱାଇ-ସହରାଞ୍ଚଳ ଯୋଜନାର ପରିକଳ୍ପନା କରାଯାଇଥିଲା। ୨୦୧୭ରେ, ମୂଳ ଆନୁମାନିକ ପ୍ରକଳ୍ପ ଚାହିଦା ଥିଲା ୧୦୦ ଲକ୍ଷ ଆବାସ ନିର୍ମାଣ। ଏବେ ସୁଦ୍ଧା ମୂଳ ଆନୁମାନିକ ପ୍ରକଳ୍ପ ଚାହିଦା ତୁଳନାରେ ୧୦୨ ଲକ୍ଷ ଆବାସ ନିର୍ମାଣ ହୋଇସାରିଛି କିମ୍ବା ନିର୍ମାଣ ପର୍ଯ୍ୟାୟରେ ରହିଛି। ଏଥିମଧ୍ୟରୁ ୬୨ ଲକ୍ଷ ଆବାସ ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିଛି। ମଞ୍ଜୁର ହୋଇଥିବା ମୋଟ ପ୍ରାୟ ୧୨୩ ଲକ୍ଷ ଆବାସ ମଧ୍ୟରୁ ୪୦ ଲକ୍ଷ ନିର୍ମାଣ ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କଠାରୁ ବିଳମ୍ବରେ ପ୍ରସ୍ତାବ ମିଳିଥିଲା (ଯୋଜନାର ଶେଷ ଦୁଇ ବର୍ଷ ମଧ୍ୟରେ)। ଏସବୁ ଆବାସ ସମ୍ପୂର୍ଣ୍ଣ କରିବା ଲାଗି ଆଉ ଦୁଇ ବର୍ଷ ସମୟର ଆବଶ୍ୟକତା ରହିଛି। ତେଣୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଅନୁରୋଧକୁ ଆଧାର କରି, ୩୧-୧୨-୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି।

ଏହି ଯୋଜନାରେ ୨୦୦୪-୨୦୧୪ ପର୍ଯ୍ୟନ୍ତ ମାତ୍ର ୨୦,୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ୨୦୧୫ଠାରୁ ଏବେ ସୁଦ୍ଧା ୨.୦୩ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଛି। ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ୧,୧୮,୦୨୦.୪୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା/ସବ୍‌ସିଡି ଜାରି କରାଯାଇ ସାରିଛି। ଅବଶିଷ୍ଟ ୮୫,୪୦୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା/ସବ୍‌ସିଡି ୩୧ ଡିସେମ୍ବର ୨୦୨୪ ସୁଦ୍ଧା ଯୋଗାଇ ଦିଆଯିବ। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଅନୁରୋଧକ୍ରମେ ଯୋଜନାକୁ ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଜାରି ରଖାଯିବା ଫଳରେ ବିଏଲ୍‌ସି, ଏଏଚ୍‌ପି ଏବଂ ଆଇଏସ୍‌ଏସ୍‌ଆର୍‌ ଶ୍ରେଣୀରେ ପୂର୍ବରୁ ମଞ୍ଜୁର ହୋଇଥିବା ଆବାସ ନିର୍ମାଣ ସମ୍ପୂର୍ଣ୍ଣ କରିବାରେ ସହାୟତା ମିଳିପାରିବ।

ସମ୍ବନ୍ଧିତ ଖବର