ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ କ୍ଷୁଦ୍ର ଉପଗ୍ରହ ଉତ୍‌କ୍ଷେପଣ ଯାନ (ଏସ୍‌ଏସ୍‌ଏଲ୍‌ଭି-ଡି୩)ରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ (ଇଓଏସ୍-୦୮)କୁ ସଫଳତାର ସହ ଉତ୍‌କ୍ଷେପଣ କରିଛି। ଏହି ମିସନ ଏସ୍‌ଏସ୍‌ଏଲ୍‌ଭି ବିକାଶର ଏକ ଚୂଡ଼ାନ୍ତ ପର୍ଯ୍ୟାୟ, ଯାହା ଭାରତୀୟ ଶିଳ୍ପ ଓ ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ (ଏନ୍‌ଏସ୍‌ଆଇଏଲ୍‌) ଦ୍ୱାରା ଭବିଷ୍ୟତ ଅଭିଯାନ ପାଇଁ ମାର୍ଗ ପ୍ରଶସ୍ତ କରିବ। ପ୍ରଥମେ ଅଗଷ୍ଟ ୧୫ ତାରିଖରେ ଲଞ୍ଚ ହେବାକୁ ଥିବା ଏସ୍‌ଏସ୍‌ଏଲ୍‌ଭି-ଡି-୩ ମିସନ ଗୋଟିଏ ଦିନ ପାଇଁ ସ୍ଥଗିତ ରଖାଯାଇଥିଲା। ଉତ୍‌କ୍ଷେପଣ ୱିଣ୍ଡୋ ସକାଳ ୯ଟା ୧୭ରେ ଖୋଲାଯାଇଥିଲା ଏବଂ ଉଡ଼ାଣର ପ୍ରାୟ ୧୭ ମିନିଟ୍ ପରେ ଏସ୍‌ଆର୍‌-୦ ଡେମୋସାଟ୍ ସହ ଇଓଏସ୍-୦୮ ଉପଗ୍ରହ ସଫଳତାର ସହ ୪୭୫ କିଲୋମିଟର ବୃତ୍ତାକାର କକ୍ଷପଥରେ ସ୍ଥାପିତ ହୋଇଥିଲା।

Advertisment

ପ୍ରାୟ ୧୭୫.୫ କିଲୋଗ୍ରାମ୍ ଓଜନର ଇଓଏସ୍-୦୮ ହେଉଛି ଏକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଯାହା ମାଇକ୍ରୋସାଟେଲାଇଟ୍ ବସ୍ ସହିତ ନୂତନ ଜ୍ଞାନକୌଶଳ ଓ ପେଲୋଡ୍ ଉପକରଣ ସହିତ ସଙ୍ଗତି ରଖି କାର୍ଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି। ଜିଏନ୍‌ଏସ୍‌ଏସ୍‌-ଆର୍‌ ପେଲୋଡ୍ ସମୁଦ୍ରପୃଷ୍ଠ ପବନ ବିଶ୍ଳେଷଣ ଓ ମାଟିର ଆର୍ଦ୍ରତା ଆକଳନ ପାଇଁ ରିମୋଟ୍ ସେନ୍ସିଂ କ୍ଷମତା ପ୍ରଦର୍ଶନ କରେ। ଏସ୍‌ଆଇସି ୟୁଭି ଡୋସିମିଟର ୟୁଭି ବିକିରଣକୁ ନିରୀକ୍ଷଣ କରେ ଏବଂ ଗାମା ବିକିରଣ ପାଇଁ ଏକ ଉଚ୍ଚ-ଡୋଜ୍ ଆଲାର୍ମ ସେନ୍ସର ଭାବରେ କାର୍ଯ୍ୟ କରେ। ଏସ୍‌ଏସ୍‌ଏଲ୍‌ଭି ବିକାଶ ପ୍ରକଳ୍ପର ସଫଳ ସମାପନ ସହିତ ଇସ୍ରୋ ବିଶ୍ୱ ମହାକାଶ ବଜାରରେ ନିଜର ସାମର୍ଥ୍ୟ ବିସ୍ତାର କରିବାକୁ ଯାଉଛି । ଇଓଏସ୍-୦୮ ଅଭିଯାନ କେବଳ ଭାରତର ମହାକାଶ ସାମର୍ଥ୍ୟକୁ ବଢ଼ାଇ ନାହିଁ ବରଂ ଅନ୍ତର୍ଜାତୀୟ ମହାକାଶ ସମୁଦାୟରେ ମଧ୍ୟ ନିଜର ସ୍ଥିତିକୁ ସୁଦୃଢ଼ କରିଛି।