ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଅସ୍ତ୍ର ପ୍ରତିଯୋଗିତା ବଢ଼ୁଛି

ଭାରତ ସର୍ବାଧିକ ସତର୍କ

ନୂଆଦିଲ୍ଲୀ: ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଏବେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପ୍ରତିଯୋଗିତା ବଢ଼ିବାରେ ଲାଗିଛି। ପଡ଼ୋଶୀ ରାଷ୍ଟ୍ରମାନେ ଏବେ ଆଧୁନିକୀକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛନ୍ତି ଏବଂ ନୂତନ ଯୁଦ୍ଧାସ୍ତ୍ର ସାମିଲ କରୁଛନ୍ତି। ତେବେ ସମ୍ଭାବିତ ବିପଦ ପ୍ରତି ଭାରତ ସର୍ବାଧିକ ସତର୍କ ରହିଛି ଏବଂ ଭାରତ ନିଜର ରାଷ୍ଟ୍ରୀୟ ସ୍ବାର୍ଥର ସୁରକ୍ଷା ପାଇଁ ଯେ କୌଣସି ଚ୍ୟାଲେଂଜକୁ ସାମ୍ନା କରିବାକୁ ସକ୍ଷମ ବୋଲି ବାୟୁସେନା ମୁଖ୍ୟ ବି.ଏସ୍‌. ଧନୋଆ କହିଛନ୍ତି। ଏକ ସାକ୍ଷାତକାରରେ ଧନୋଆ କହିଛନ୍ତି ଯେ ସମାଧାନ ହୋଇପାରୁନଥିବା ଆଞ୍ଚଳିକ ବିବାଦ ଏବଂ କେତେକ କୂଟନୈତିକ ଚ୍ୟାଲେଂଜ ଯୋଗୁଁ ଉତ୍ପନ୍ନ ସ୍ଥିତିକୁ ଭାରତ ସାମ୍ନା କରୁଛି। ବାୟୁସେନା ଯେ କୌଣସି ସଙ୍କଟର ସଫଳ ମୁକାବିଲା ପାଇଁ ସକ୍ଷମ ଏବଂ ଦେଶ ଏହି ଦିଗରେ ଆଗକୁ ବଢ଼ୁଛି ବୋଲି ସେ କହିଛନ୍ତି। ଚୀନ୍‌ ଏବଂ ପାକିସ୍ତାନର ନାମ ନନେଇ ବାୟୁସେନା ମୁଖ୍ୟ କହିଛନ୍ତି ଯେ ସୀମାପାର ଆତଙ୍କବାଦ ଉପରେ ପ୍ରହାର କରିବା ପାଇଁ ଭାରତୀୟ ବାୟୁସେନାର ବିପୁଳ ସାମର୍ଥ୍ୟ ରହିଛି। ଦେଶର ନିରାପତ୍ତା ବିରୋଧରେ କାମ କରୁଥିବା ବିଦେଶୀ ଶକ୍ତିମାନଙ୍କ ଆଡ଼ୁ ଆସୁଥିବା ଚ୍ୟାଲେଂଜକୁ ସଫଳତାର ସହ ମୁକାବିଲା କରାଯାଉଛି ବୋଲି ସେ କହିଛନ୍ତି। ଜରୁରୀ ସଙ୍କଟର ମୁକାବିଲା ପାଇଁ ବାୟୁସେନା ୨୪ ଘଣ୍ଟା ତୟାର ରହିଛି ଏବଂ ଉପଲବ୍ଧ ସାମର୍ଥ୍ୟ ଉପରେ ସଂପୂର୍ଣ୍ଣ ଭରସା ରହିଛି ବୋଲି ବାୟୁସେନା ମୁଖ୍ୟ କହିଛନ୍ତି। ଭାରତ ପ୍ରଶାନ୍ତ କ୍ଷେତ୍ରରେ ଚୀନ୍‌ ତା’ର ଆଧିପତ୍ୟ ଜାହିର କରିବା ପାଇଁ ଚଳାଇଥିବା ପ୍ରୟାସରେ ଭାରତ ଲଗାମ ଦେବାକୁ ସମର୍ଥ ହୋଇଛି। ଭାରତ ଏ କ୍ଷେତ୍ରରେ ବାୟୁସେନା ଏବଂ ନୌସେନାର ଶକ୍ତି ବୃଦ୍ଧି ପର୍ଯ୍ୟାୟକ୍ରମେ ବୃଦ୍ଧି କରିବା ପରେ ଚୀନ୍‌ ତା’ର ସୀମାରେ ରହିବାକୁ ଏକପ୍ରକାର ବାଧ୍ୟ ହୋଇଛି। ସୂଚନାଯୋଗ୍ୟ ଏ କ୍ଷେତ୍ରରେ ଚୀନ୍‌ର ପ୍ରଭାବ ବିସ୍ତାରକୁ ରୋକିବା ପାଇଁ ଭାରତ ଏବେ ବଡ଼ ଭୂମିକା ନିର୍ବାହ କରୁଛି ଏବଂ ଆମେରିକା ମଧ୍ୟ ଭାରତ ସହିତ ହାତ ମିଳାଇଛି। ଗତ ବର୍ଷ ନଭେମ୍ବରରେ ଭାରତ, ଆମେରିକା, ଅଷ୍ଟ୍ରେଲିୟା ଏବଂ ଜାପାନ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ସ୍ଥିତି ସୁଦୃଢ଼ କରିବା ପାଇଁ ମେଣ୍ଟ ଗଠନ କରିଥିଲେ। ଏହି ରାଷ୍ଟ୍ରମାନଙ୍କ ମିଳିତ ସମରାଭ୍ୟାସ ଏବଂ ସାମୁଦ୍ରିକ ସୁରକ୍ଷା ଅଭିଯାନ ଏକ ସୁରକ୍ଷା ବଳୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର