ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନ ଆଗକୁ ଜୋର୍ଦାର ହେବ ଏବଂ ଏ ବାବଦରେ କେନ୍ଦ୍ର ସରକାର ସୁଦୃଢ଼ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ରମ୍୍ଜାନ ମାସ ପାଇଁ ଅସ୍ତ୍ରବିରତି ଏବଂ ଆତଙ୍କବାଦୀ ନିପାତ ଅଭିଯାନ ସ୍ଥଗିତ ରଖାଯିବା ଦ୍ୱାରା ମାମଲା ଅଧିକ ବିଗିଡ଼ି ଥିବାରୁ କେନ୍ଦ୍ର ସରକାର ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛନ୍ତି। ଏବେ ପୁଣି ଥରେ ଅପରେସନ ଅଲ୍ ଆଉଟ୍ ଆରମ୍ଭ ହୋଇଛି ଏବଂ ଚଳିତ ପର୍ଯ୍ୟାୟରେ ୪ ଦିନ ଭିତରେ ୯ ଜଣ ଆତଙ୍କବାଦୀ ନିପାତ ହୋଇଛି। କଶ୍ମୀରର ସର୍ବାଧିକ ବିଶୃଙ୍ଖଳିତ ଅଂଚଳରେ ଏବେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନକୁ ବ୍ୟାପକ କରିବା ପାଇଁ କେନ୍ଦ୍ର ସରକାର ସଙ୍କେତ ଦେଇସାରିଛନ୍ତି। ଜମ୍ମୁ କଶ୍ମୀରରେ ରାଜ୍ୟପାଳ ଶାସନ ଆଜିଠାରୁ ଲାଗୁହେବା ସହ ସେନା, ପୁଲିସ ଏବଂ ସିଆର୍ପିଏଫ୍୍ର ମିଳିତ ଅଭିଯାନ ମଧ୍ୟ ବ୍ୟାପକ ହୋଇଛି। ଦକ୍ଷିଣ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ୍ ଆଜି କହିଛନ୍ତି ଯେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନ ଯଥାରୀତି ଚାଲିବ ଏବଂ କୌଣସି ରାଜନୈତିକ ଘଟଣାକ୍ରମ ଦ୍ୱାରା ଏହା ପ୍ରଭାବିତ ହେବନାହିଁ । ସେନାବାହିନୀର କାର୍ଯ୍ୟରେ କେବେ ବି କୌଣସି ପ୍ରତିବନ୍ଧକ ଉପୁଜିନାହିଁ ବୋଲି ରାଓ୍ଵତ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଭାବେ ପୂର୍ବରୁ ମେହବୁବା ମୁଫ୍୍ତି ସୁରକ୍ଷା ବାହିନୀର ଆତଙ୍କବାଦୀ ନିପାତ ଅଭିଯାନକୁ ଅନେକ ଥର ବିରୋଧ କରିଥିଲେ। ଏବେ ପିଡିପି-ବିଜେପି ସରକାରର ପତନ ଘଟିଥିବାରୁ ସେନା ଉପରେ କୌଣସି ରାଜନୈତିକ ଚାପ ରହିବ ନାହିଁ ବୋଲି କୁହାଯାଉଛି । ମେହବୁବାଙ୍କ ଚାପରେ ହିଁ କେନ୍ଦ୍ର ସରକାର ଏକପାଖିଆ ଅସ୍ତ୍ରବିରତି ଲାଗୁ କରିବାକୁ ରାଜି ହୋଇଥିଲେ। ସେନା ଏହାକୁ ବିରୋଧ କରିବା ସତ୍ତ୍ୱେ ଗ୍ରହଣ କରିବାକୁ ଏକପ୍ରକାର ବାଧ୍ୟ ହୋଇଥିଲା। ତେବେ ରମଜାନ ପରେ ଏଭଳି ଅସ୍ତ୍ରବିରତି ଲାଗି ରହିଲେ ପରିସ୍ଥିତି ସାଂଘାତିକ ହେବ ବୋଲି ସେନାଧ୍ୟକ୍ଷ ବିପନ ରାଓ୍ଵତ ଚେତାଇ ଦେଇଥିଲେ। ଏପ୍ରିଲ ୧୭ ତାରିଖରୁ ମେ ୧୬ ତାରିଖ ମଧ୍ୟରେ ଜମ୍ମୁ କଶ୍ମୀରରେ ୨୫ଟି ଆତଙ୍କବାଦୀ ଆକ୍ରମଣ ହୋଇଥିବା ବେଳେ ରମ୍ଜାନ ମାସରେ ମେ ୧୭ରୁ ଜୁନ୍ ୧୩ ମଧ୍ୟରେ ୬୬ଟି ଆତଙ୍କବାଦୀ କାଣ୍ଡ ଘଟିଥିଲା। ଏଭଳି ସ୍ଥିତି କେନ୍ଦ୍ର ସରକାରଙ୍କୁ ଘୋର ଅଡ଼ୁଆରେ ପକାଇବା ସହ ସେନା ପାଇଁ ମଧ୍ୟ ସଙ୍କଟଜନକ ସ୍ଥିତି ସୃଷ୍ଟି କରିଥିଲା। ଏହାକୁ ନେଇ ସରଗରମ ଚର୍ଚ୍ଚା ଲାଗି ରହିଥିବା ବେଳେ ଗତକାଲି ବିଜେପି ମେହବୁବା ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲା। ଏବେ ରାଜ୍ୟପାଳ ଶାସନରେ ଘାଟିର ସ୍ଥିତିରେ ସୁଧାର ଆଣିବାକୁ କେନ୍ଦ୍ର ସରକାର ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଚ୍ଛିନ୍ନତାବାଦୀଙ୍କ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବା ସହ ପଥର ଆକ୍ରମଣକାରୀଙ୍କୁ କଠୋର ହସ୍ତରେ ଦମନ କରିବାକୁ ମଧ୍ୟ ସେନା ତୟାର ହେଉଛି। ସୁରକ୍ଷା ବାହିନୀ ଉପରେ ପଥର ଆକ୍ରମଣ କରୁଥିବା ଯୁବକମାନଙ୍କୁ ଗିରଫ କରାଯିବା ସହ ଆବଶ୍ୟକସ୍ଥଳେ ଯଥୋଚତ ଶକ୍ତି ପ୍ରୟୋଗ କରାଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/2-4.jpg)