ଦୁଃସାଧ୍ୟ ଆନୁବଂଶିକ ରୋଗରେ ପୀଡ଼ିତ:ମା’ଝିଅ ଲୋଡ଼ିଲେ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ

କାନପୁର : ଉତ୍ତରପ୍ରଦେଶ ଅନ୍ତର୍ଗତ କାନପୁର ଅଞ୍ଚଳରେ କୌଣସି ଦୁଃସାଧ୍ୟ ଆନୁବଂଶିକ ରୋଗରେ ପୀଡ଼ିତ ଜଣେ ମହିଳା ଏବଂ ତାଙ୍କ ଅବିବାହିତା ଝିଅ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମତି ଲୋଡ଼ିଛନ୍ତି। ଜଣଙ୍କର ମର୍ଯ୍ୟାଦା ସହ ବଞ୍ଚିବା ଅଧିକାର ରହିଛି ବୋଲି ଟିପ୍ପଣୀ କରି ମାନ୍ୟବର ସୁପ୍ରିମ୍‌ କୋର୍ଟ ଗତ ୯ ତାରିଖରେ ଇଚ୍ଛାମୃତ୍ୟୁକୁ ସ୍ୱୀକୃତି ଦେଇଥିବା ବେଳେ ଅଦାଲତଙ୍କ ରାୟ ପରେ କାନପୁରର ଏହି ମା’ଝିଅଙ୍କ ଇଚ୍ଛାମୃତ୍ୟୁ ଆବେଦନ ପ୍ରଥମ ବୋଲି କୁହାଯାଉଛି। ‘ମସ୍କୁଲାର ଡିଷ୍ଟ୍ରଫି’ ନାମକ ବଂଶଗତ ରୋଗରେ ଆକ୍ରାନ୍ତ ଶଶୀ ମିଶ୍ର(୫୯) ଏବଂ ତାଙ୍କ ଝିଅ ଅନାମିକା ମିଶ୍ରଙ୍କ ଏଭଳି ଆବେଦନକୁ କାନପୁର ମାଜିଷ୍ଟ୍ରେଟ୍‌ ରାଜ ନାରାୟଣ ପାଣ୍ଡେ ସିଧା ସଳଖ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ପଠାଇ ଦେଇଥିବା କହିଛନ୍ତି। ଅପରପକ୍ଷେ, ଚିକିତ୍ସା ପାଇଁ ଅର୍ଥ ବ୍ୟବସ୍ଥା କିମ୍ବା ସେମାନଙ୍କୁ ଜୀବନ ହାରିବା ଅନୁମତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ନିବେଦନ କରିଛନ୍ତି ବୋଲି ରୋଗାକ୍ରାନ୍ତା ଅନାମିକା କହିଛନ୍ତି।
ଏହି ଆନୁବଂଶିକ ରୋଗ ‘ମସ୍କୁଲାର ଡିଷ୍ଟ୍ରଫି’ରେ ପୀଡ଼ିତ ରୋଗୀର ଗୁଣସୂତ୍ର ସଂରଚନାରେ ବ୍ୟତିକ୍ରମ ହୋଇଥିବା କାରଣରୁ ଶରୀରରେ ନାନା ପ୍ରକାର ମାଂସପେଶୀଗତ ଅସ୍ୱାଭାବିକତା ଦେଖାଦେଇଥାଏ। ଏପରିକି ମାଂସପେଶୀ ସଂଚାଳନ ସହ ଜଡ଼ିତ ବାକ୍‌ଶକ୍ତି, ଶ୍ୱାସକ୍ରିୟା ଏବଂ ହୃଦ୍‌କ୍ରିୟା ଆଦି ବିଭିନ୍ନ ଶାରୀରିକ ପ୍ରକ୍ରିୟା ବନ୍ଦ ହୋଇଯାଇଥାଏ। ଅନାମିକାଙ୍କ କହିବା ଅନୁଯାୟୀ, ଏହି ରୋଗରେ ଆକ୍ରାନ୍ତ ଥିବା ତାଙ୍କ ବାପା ଗଙ୍ଗା ମିଶ୍ରଙ୍କର ୧୫ ବର୍ଷ ତଳେ ପରଲୋକ ହୋଇଯାଇଛି। ତାଙ୍କ ମା’ ମଧ୍ୟ ଏଥିରେ ଆକ୍ରାନ୍ତ ଥିବା କଥା ୧୯୮୫ ମସିହାରୁ ଜଣାପଡ଼ିଥିଲା। ରୋଗରୁ ଉପଶମର ନିଶ୍ଚିତତା ନଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ ମଧ୍ୟ ହୋଇପାରୁ ନାହିଁ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଚିଠି(ରକ୍ତରେ) ଲେଖି ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିଥିଲା। ତେବେ ମା’ଝିଅ ଦୁଇଜଣଙ୍କ ବଞ୍ଚିବା ପାଇଁ ଏହା ଯଥେଷ୍ଟ ନୁହେଁ। ତେଣୁ ସେମାନେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିବା ଅନାମିକା କହିଛନ୍ତି।

ସମ୍ବନ୍ଧିତ ଖବର