ନୂଆଦିଲ୍ଲୀ : ଦେଶରେ ଟିକାର ଅଭାବ ଦେଖାଦେଇଥିବାବେଳେ, ଆମେରିକାର ଫାଇଜର କମ୍ପାନି ଦ୍ବାରା ପ୍ରସ୍ତୁତ ବାୟୋଏନଟେକ୍ ଟିକାକୁ  ଜରୁରୀକାଳୀନ ଅନୁମତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ନିଜ ଟିକାର ତ୍ବରିତ ଅନୁମତି ପାଇଁ ଫାଇଜର କମ୍ପାନି ପକ୍ଷରୁ ଭାରତ ସରକାରଙ୍କ ନିକଟରେ ଆବେଦନ କରାଯାଇଛି । ତେବେ ଏ ଦିଗରେ ଏକ ପ୍ରତିବନ୍ଧକ ଦେଖାଦେଇଛି । ଭାରତରେ ଟିକା ବ୍ୟବହାର ପାଇଁ ଫାଇଜର ଭାରତ ସରକାରଙ୍କ ସହ ଏକ କ୍ଷତିପୂରଣ ସୁରକ୍ଷା ଚୁକ୍ତି କରିବାକୁ ଚାହୁଁଛି । ଏହା ଅନୁଯ଼ାୟୀ ଭାରତରେ ଏହି ଟିକା ବ୍ୟବହାର ବେଳେ ଯ଼ଦି କୌଣସି ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ କିମ୍ବା ସେବନକାରୀଙ୍କ ମୃତ୍ୟୁ ହୁଏ, ସେଥିପାଇଁ କମ୍ପାନି ବିରୋଧରେ କ୍ଷତିପୂରଣ ମାମଲା ରୁଜ୍ଜୁ କରାଯ଼ାଇପାରିବ ନାହିଁ । ଫାଇଜର ଟିକା ବ୍ୟବହାର କରୁଥିବା କେତେକ ଦେଶ କମ୍ପାନି ସହ ଏହି ଚୁକ୍ତି କରିଛନ୍ତି । କିନ୍ତୁ କମ୍ପାନିର ଏହି ଦାବିକୁ ନେଇ ଭାରତ ସରକାର କୌଣସି ନିଷ୍ପତ୍ତିରେ ପହଞ୍ଚିପାରୁନାହାନ୍ତି । ଏହା ଫଳରେ ଫାଇଜର ଟିକାକୁ ଭାରତରେ ଅନୁମତି ଦେବା ନିଷ୍ପତ୍ତି ଅଟକି ରହିଛି ।

Advertisment

ସୂଚନାଯୋଗ୍ୟ ଯେ, ଭାରତରେ ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ, ଦେଶରେ ଟିକାର ଚାହିଦା ହଠାତ ବଢିଯାଇଛି । କିନ୍ତୁ ଭାରତରେ ମାତ୍ର ଦୁଇଟି ପ୍ରକାରର ଟିକା ଉପଲବ୍ଧ ଥିବାରୁ ଦେଶରେ ଟିକା ଅଭାବ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଆଉ କେତେକ ବିଦେଶୀ ଟିକାକୁ ଅନୁମତି ଦେବାକୁ ଯୋଜନା କରୁଛନ୍ତି ।