ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ୨୦୨୫ ଅବସରରେ ପୁଲିସ, ଅଗ୍ନିଶମ ସେବା, ହୋମଗାର୍ଡ ଓ ସିଭିଲ ଡିଫେନ୍ସ (ଏଚ୍ଜି ଆଣ୍ଡ୍ ସିଡି) ଏବଂ ସଂଶୋଧନମୂଳକ ସେବା (କରେକ୍ସନାଲ ସର୍ଭିସ୍)ର ମୋଟ ୧୦୯୦ ଜଣ କର୍ମଚାରୀଙ୍କୁ ବୀରତ୍ବ ଓ ସେବା ପଦକରେ ସମ୍ମାନିତ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଏକ ବିବୃତିରେ ଗୃହ ମନ୍ତ୍ରଣାଳୟ କହିଛି ଯେ, ୨୩୩ ଜଣ ଯବାନଙ୍କୁ ବୀରତା ପଦକ (ଜିଏମ୍) ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରେ ୨୨୬ ଜଣ ପୁଲିସ, ୬ ଜଣ ଅଗ୍ନିଶମ ସେବା ଓ ଜଣେ ଏଚ୍ଜି ଓ ସିଡିରୁ ଅଛନ୍ତି। ମନ୍ତ୍ରଣାଳୟ କହିଛି ଯେ ୨୩୩ ବୀରତା ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ଜମ୍ମୁ-କାଶ୍ମୀର ଅଞ୍ଚଳର ୧୫୨ ଜଣ, ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରୁ ୫୪ ଜଣ, ଉତ୍ତର-ପୂର୍ବର ୩ ଜଣ ଏବଂ ଅନ୍ୟ ଅଞ୍ଚଳର ୨୪ ଜଣ ଯବାନ ଅଛନ୍ତି।
ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ସେବାରେ ସ୍ବତନ୍ତ୍ର ଉଲ୍ଲେଖନୀୟ ରେକର୍ଡ ପାଇଁ ୯୯ ଜଣ ଯବାନଙ୍କୁ ରାଷ୍ଟ୍ରପତି ପଦକ (ପିଏସ୍ଏମ୍)ରେ ସମ୍ମାନିତ କରାଯିବ ବୋଲି ଗୃହ ମନ୍ତ୍ରାଳୟ କହିଛି। ଏଥିରେ ପୁଲିସ ସେବାର ୮୯, ଅଗ୍ନିଶମ ବିଭାଗର ୫, ସିଭିଲ ଡିଫେନ୍ସ ଓ ହୋମଗାର୍ଡ ସେବାର ୩ ଓ ସଂଶୋଧନମୂଳକ ସେବାରୁ ୨ ଜଣ ରହିଛନ୍ତି। ମନ୍ତ୍ରଣାଳୟ ଆହୁରି କହିଛି ଯେ ୭୫୮ ଜଣ କର୍ମଚାରୀଙ୍କୁ କର୍ତ୍ତବ୍ୟ ପ୍ରତି ନିଷ୍ଠା ତଥା ମୂଲ୍ୟବାନ ସେବା ପାଇଁ ପ୍ରଶଂସନୀୟ ସେବା (ଏମ୍ଏସ୍ଏମ୍) ପଦକ ମିଳିବ। ସେମାନଙ୍କ ମଧ୍ୟରେ ପୁଲିସ ସେବାର ୬୩୫, ଅଗ୍ନିଶମ ବିଭାଗର ୫୧, ଏଚ୍ଜି ଓ ସିଡିରୁ ୪୧ ଓ ସଂଶୋଧନମୂଳକ ସେବାରୁ ୩୧ ଜଣ ଅଛନ୍ତି। ଏହି ପୁରସ୍କାରଗୁଡ଼ିକ ସମଗ୍ର ଦେଶରେ କର୍ମଚାରୀମାନଙ୍କର ଅତୁଟ ସମର୍ପଣ, ସାଧନଶୀଳତା (ରିସୋର୍ସଫୁଲ୍ନେସ୍) ଓ ସାହସକୁ ସ୍ୱୀକୃତି ଦେଇଥାଏ, ଯେଉଁମାନେ ଜୀବନର ସୁରକ୍ଷା, ଶୃଙ୍ଖଳା ଓ ଆଇନର ଶାସନକୁ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ୧୬ ଜଣ ଯବାନଙ୍କୁ ଅପରେସନ ସିନ୍ଦୂରରେ ଅବଦାନ ପାଇଁ ବୀରତା ପଦକ ପ୍ରଦାନ କରାଯିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/15/fhfshsfhxbvbv-2025-08-15-03-01-13.jpg)