ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଲାଲ୍‌କିଲ୍ଲାରେ ଆସନ୍ତାକାଲି ୭୪ ତମ ସ୍ବାଧୀନତା ଦିବସ ପାଳନ ହେବ। ଚଳିତ ଥର କରୋନା ମହାମାରୀ ପାଇଁ କଟକଣା ମଧ୍ୟ‌ରେ ଏହି ଦିବସ ପାଳନ ହେବ। ପ୍ରତିରକ୍ଷା‌ ମନ୍ତ୍ରାଳୟ ପକ୍ଷରୁ ଏନେଇ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ନିୟମ ଅଧିକ କଡ଼ାକଡ଼ି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ୭ ଥର ଲାଲ୍‌କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ। ଆସନ୍ତାକାଲି ମୋଦୀଙ୍କ ଭାଷଣ ଉପରେ ସମସ୍ତଙ୍କ ନଜର ରହିଛି। ମୋଦୀ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। କରୋନା ମୁକାବିଲା କ୍ଷେତ୍ରରେ ସରକାରଙ୍କ ଭୂମିକା ମୋଦୀଙ୍କ ଭାଷଣର ମୂଖ୍ୟ ବିଷୟବସ୍ତୁ ହୋଇପାରେ। ଲାଲ୍‌କିଲ୍ଲାରେ ସ୍ବାଧୀନତା ଦିବସ କ‌ାର୍ଯ୍ୟକ୍ରମ ପାଇଁ ୪ ହଜାରରୁ ଅଧିକ ଲୋକଙ୍କୁ ଆମନ୍ତ୍ରିତ କରାଯାଇଛି। ସେମାନଙ୍କ ମଧ୍ୟରେ କୂଟନୀତିଜ୍ଞ, ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ରହିଛନ୍ତି । ସମସ୍ତ ଆମନ୍ତ୍ରିତ ଅତିଥିଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରାଯାଇଛି। ସେହିପରି କାର୍ଯ୍ୟକ୍ରମ ସ୍ଥଳରେ ମଧ୍ୟ ଜରୁରୀ ଭିତ୍ତିରେ ପର୍ଯ୍ୟାପ୍ତ ମାସ୍କ ବ୍ୟବସ୍ଥା କରାଯାଇଛି। କେବଳ ଯେଉଁମାନଙ୍କୁ ଆମନ୍ତ୍ରଣ କରାଯାଇଛି ସେମାନେ ହିଁ କାର୍ଯ୍ୟକ୍ରମରେ ଯୋଗ ଦେବେ। ଯେଉଁମାନଙ୍କୁ ସରକାରୀ ଭାବେ ଆମନ୍ତ୍ରଣ କରାଯାଇନି ସେମାନଙ୍କୁ କାର୍ଯ୍ୟକ୍ରମ ସ୍ଥଳକୁ ନଆସିବାପାଇଁ ଅନୁରୋଧ କରାଯାଇଛି। ସବୁ ପ୍ରଦେଶ ପଥ ନିକଟରେ ଅତିଥି ମାନଙ୍କ ପାଇଁ ଥର୍ମାଲ୍‌ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି। ସେହିପରି ଜରୁରୀ ସ୍ଥିତିର ମୁକାବିଲା ପାଇଁ ୪ଟି ମେଡିକାଲ୍‌ ବୁଥ୍‌ ବ୍ୟବସ୍ଥା କରାଯାଇଛି। ୪ଟି ସ୍ଥାନରେ ମଧ୍ୟ ଆମ୍ବୁଲାନ୍ସ ରହିବ। ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଏନ୍‌ଏସ୍‌ଜି ସ୍ନାଇପର, ସ୍ବାଟ୍‌ କମାଣ୍ଡୋ ଲାଲକିଲ୍ଲା ନିକଟରେ ମୁତୟନ ହେବେ। ସୁରକ୍ଷା ସ୍ଥିତି ଯାଞ୍ଚ ପାଇଁ ୩୦୦ରୁ ଅଧିକ କ୍ୟାମେରା ଲଗାଯାଇଛି। ଲାଲକିଲ୍ଲାରେ ପ୍ରାୟ ୪ ହଜାର ସୁରକ୍ଷାକର୍ମୀ ମୁତୟନ ହେବେ। ସେମାନେ ମଧ୍ୟ ଆବଶ୍ୟକ ସାମାଜିକ ଦୂରତ୍ବ ଅବଲମ୍ବନ କରିବେ। ନିକଟସ୍ଥ ରେଳ ଷ୍ଟେସନ୍‌ ଗୁଡ଼ିକରେ ବି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଲାଲକିଲ୍ଲା ନିକଟରେ ସକାଳ ୬.୪୫ରୁ ୮.୪୫ ପର୍ଯ୍ୟନ୍ତ କିଛି ନିର୍ଦ୍ଦିଷ୍ଟ ଷ୍ଟେସନ୍‌ରେ କୌଣସି ଟ୍ରେନ୍‌ ଯାତାୟାତ କରିବନି। ଚଳିତ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ କୌଣସି ସ୍କୁଲ୍‌ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେନି। ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପରିବର୍ତ୍ତେ ଏନ୍‌ସିସି କ୍ୟାଡେଟ୍‌ଙ୍କୁ କାର୍ଯ୍ୟକ୍ରମ ଦେଖିବାପାଇଁ ଆମନ୍ତ୍ରିତ କରାଯାଇଛି। ପୁଲିସ ପିପିଇ କିଟ୍‌ ପିନ୍ଧିବେ। ତେବେ ଅପରାହ୍ନରେ ରାଷ୍ଟ୍ରପତି ଭବନ‌ରେ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଫୋକସ୍‌ରେ ରହିବେ କରୋନା ଯୋଦ୍ଧା। ରାଷ୍ଟ୍ରପତି ଭବନକୁ ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ପ୍ରମୁଖ ବ୍ୟକ୍ତିତ୍ବ ଆମନ୍ତ୍ରିତ ହୋଇଛନ୍ତି। ଗାର୍ଡ‌୍ ଅଫ୍‌ ଅନର୍‌ ପାଇଁ ୩୫୦ରୁ ଅଧିକ ଦିଲ୍ଲୀ ପୁଲିସ ସାମିଲ୍‌ ହେବେ। ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରି ଏହି ପୁଲିସ୍‌ମାନଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଥିଲା। ଏମାନଙ୍କ ମଧ୍ୟରେ କନେଷ୍ଟବଳଙ୍କଠାରୁ ଆରମ୍ଭ କରି ଡିସିପି ପର୍ଯ୍ୟନ୍ତ ଅଧିକାରୀ ଅଛନ୍ତି।