ପାଟନା: ଚଳିତ ବିହାର ନିର୍ବାଚନ ସ୍ବାଧୀନ ପ୍ରାର୍ଥୀଙ୍କ ପାଇଁ ଘୋର ନିରାଶା ଆଣିଛି। ସୁମିତ କୁମାର ସିଂହ ଏକମାତ୍ର ସ୍ବାଧୀନ ପ୍ରାର୍ଥୀ ଯିଏ କି ବିହାରରେ ନିର୍ବାଚନ ଜିତିଛନ୍ତି। ୩୯ ବର୍ଷୀୟ ସୁମିତ କୁମାର ଜାମୁଇ ଜିଲ୍ଲାରେ ଆର୍ଜେଡିର ସାବିତ୍ରୀ ଦେବୀଙ୍କୁ ହରାଇଛନ୍ତି। ତେବେ ସ୍ବାଧୀନତା ପରଠାରୁ ପ୍ରଥମ ଥର ପାଇଁ ଜଣେ ପ୍ରାର୍ଥୀ କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତି ନଥାଇ ନିର୍ବାଚନ ଜିତିବାରେ ସଫଳ ହୋଇଛନ୍ତି। କିନ୍ତୁ ଅନ୍ୟ ରାଜ୍ୟମାନଙ୍କ ପରି ବିହାରରେ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ବିଧାନସଭାକୁ ନିର୍ବାଚିତ ହେବା ସଂଖ୍ୟା କମିବାରେ ଲାଗିଛି। ୧୯୬୭ ବିଧାନସଭା ନିର୍ବାଚନରେ ବିହାର (ଅବିଭାଜିତ) ୩୩ ପ୍ରାର୍ଥୀଙ୍କୁ ବାଛିଥିଲା। ଏହା ଥିଲା ବିହାରର ସର୍ବାଧିକ ସ୍ବାଧୀନ ପ୍ରାର୍ଥୀ। ୧୯୯୦ରେ ଲାଲୁ ଯାଦବ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ଏହି ସମୟରେ ୩୦ ଜଣ ସ୍ବାଧୀନ ପ୍ରାର୍ଥୀ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
କିନ୍ତୁ ସେବେଠାରୁ ସ୍ବାଧୀନ ପ୍ରାର୍ଥୀଙ୍କ ସଂଖ୍ୟା କମିବାରେ ଲାଗିଛି। ୧୯୯୫ରେ ୧୨ ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ୨୦୦୦ରେ ଏହା ୨୦କୁ ବୃଦ୍ଧି ପାଇଥିଲା। ତେବେ ୩୨୪ ଆସନ ସହ ଅବିଭାଜିତ ବିହାରରେ ଏହା ଶେଷ ବିଧାନଭସା ନିର୍ବାଚନ ଥିଲା। ୨୦୦୫ରେ ବିହାରରେ ୨ଟି ବିଧାନସଭା ନିର୍ବାଚନ ହୋଇଥିଲା। ପ୍ରଥମଟି ଫେବ୍ରୁଆରିରେ ଏବଂ ଅନ୍ୟଟି ଅକ୍ଟୋବରରେ। ଯଥାକ୍ରମେ ୧୭ ଏବଂ ୧୦ ସ୍ବାଧୀନ ପ୍ରାର୍ଥୀଙ୍କୁ ବିହାର ବାଛିଥିଲା। ତେବେ ୨୦୦୫ରେ ଶେଷ ଥର ପାଇଁ ୨ ଅଙ୍କ ବିଶିଷ୍ଟ ସଂଖ୍ୟାରେ ସ୍ବାଧୀନ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ୨୦୧୦ରେ ମାତ୍ର ୬ ଜଣ ବିଧାୟକ ସ୍ବାଧୀନ ଭାବେ ନିର୍ବାଚିତ ହୋଇଥିଲେ। ଗତ ବିଧାନସଭା ନିର୍ବାଚନରେ ୪ ଜଣ ଏବଂ ଚଳିତ ନିର୍ବାଚନରେ ଜଣେ ସ୍ବାଧୀନ ପ୍ରାର୍ଥୀ ବିଧାୟକ ନିର୍ବାଚିତ ହୋଇଛପନ୍ତି। ଗଣତନ୍ତ୍ରରେ ଏହା ଆଦୌ ଏକ ଭଲ ଲକ୍ଷଣ ନୁହେଁ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/election-2.jpg)