କରୋନା ମହାମାରୀ ସମୟରେ କିଭଳି ହେବ ପ୍ରଧାନମନ୍ତ୍ରୀଙ୍କ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ?

ନୂଆଦିଲ୍ଲୀ: ଚଳିତ ବର୍ଷ କରୋନା ମହାମାରୀ ସମୟରେ ଦିଲ୍ଲୀରେ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ କିଭଳି ହେବ ତାହାକୁ ବିଭିନ୍ନ ମହଲରେ ଅପେକ୍ଷା କରାଯାଇଛି। ଏଥର ସ୍ବାଧୀନତା ଦିବସ ପାଳନ ନେଇ ବ୍ୟାପକ ଭାବେ ସୁରେକ୍ଷା ନିର୍ଦ୍ଦେଶାବଳି ଲାଗୁ କରାଯାଇଛି। ଅଗଷ୍ଟ ୧୫ ତାରିଖ ସକାଳ ୭ଟା ୨୧ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍‌ କିଲ୍ଲାରେ ପହଞ୍ଚିବେ। ୭ଟା ୩୦ରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋ‌ଳନ କରିବେ ଏବଂ ଏହା ପରେ ୪୫ରୁ ୯୦ ମିନିଟ୍‌ ପର୍ଯ୍ୟନ୍ତ ଉଦ୍‌ବୋଧନ ଦେବେ। ଚଳିତବର୍ଷ ସ୍ଥଳସେନା, ବାୟୁସେନା ଏବଂ ଜଳସେନାର ମୋଟ ୨୨ ଜଣ ସୈନିକଙ୍କୁ ନେଇ ଏବଂ ଉପଯୁକ୍ତ ସାମାଜିକ ଦୂରତା ରକ୍ଷା କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ‘ଗାର୍ଡ ଅଫ୍‌ ଅନର’ପ୍ରଦାନ କରାଯିବ।

ସେହିଭଳି ଅନ୍ୟ ୩୨ ଜଣ ସୈନିକ ଏବଂ ଅଫିସର ‘ଜାତୀୟ ଅଭିବାଦନ’ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ପୁଲିସର ୩୫୦ ଅଫିସର ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ କାର୍ଯ୍ୟକ୍ରମରେ ସମସ୍ତ ଯବାନ ଉପଯୁକ୍ତ ସାମାଜିକ ଦୂରତ୍ବ ରକ୍ଷା କରି ୪ ଧାଡ଼ିରେ ଠି‌ଆ ହେବେ ବୋଲି ଜଣାପଡ଼ିଛି। ଏଥର ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ସ୍କୁଲ୍‌ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ ନାହିଁ। କେବଳ ୫୦୦ ଏନ୍‌ସିସି ସଦସ୍ୟଙ୍କୁ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି। ଗତବର୍ଷ ସ୍ବାଧୀନତା ଦିବସରେ ୩୦୦ରୁ ୫୦୦ ଅତିଥି ଯୋଗ ଦେଇଥିବା ବେଳେ ଏଥର ୬୦ରୁ ୧୨୦ ମଧ୍ୟରେ ଅତିଥିମାନେ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର