ପାଟନା/ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ-୨୦୨୫ ପାଇଁ ମହାମେଣ୍ଟ (ଆର୍‌ଜେଡି, କଂଗ୍ରେସ, ବାମପନ୍ଥୀ)ର ଆସନ ବଣ୍ଟନର ଘୋଷଣା  ଆଜି ହୋଇପାରି ନାହିଁ। ଏହାକୁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହାର ମୁଖ୍ୟ କାରଣ ହେଉଛି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ୀ ଦେବୀ ଏବଂ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ଦିଲ୍ଲୀ ଗସ୍ତ। ଆଜି ସେମାନେ ଦିଲ୍ଲୀ ଯାଇଛନ୍ତି ଏବଂ ସୋମବାର ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ‘ଜମି ବଦଳରେ ଚାକିରି’ ମାମଲାରେ ହାଜର ହେବେ। ଏହାପରେ ତେଜସ୍ୱୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଆସନ ବଣ୍ଟନ ସମ୍ବନ୍ଧୀୟ ଆଲୋଚନା କରିବେ।

Advertisment

ମୁଖ୍ୟମନ୍ତ୍ରୀ ଚେହେରା ନେଇ ବିବାଦ
ଲାଲୁ-ରାବଡ଼ୀ-ତେଜସ୍ୱୀ ଦିଲ୍ଲୀ ଗଲେ

ସୂଚନାଯୋଗ୍ୟ, ଆସନ ବଣ୍ଟନ ନେଇ କଂଗ୍ରେସ ଓ ଆର୍‌ଜେଡି ମଧ୍ୟରେ ସପ୍ତାହେ ହେଲା କସରତ ଚାଲିଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହା ଚୂଡ଼ାନ୍ତ ହୋଇପାରୁ ନାହିଁ। ୨୦୨୦ ନିର୍ବାଚନ ତୁଳନାରେ କଂଗ୍ରେସ କମ୍‌  ଆସନରେ ଲଢ଼ିବାକୁ ପ୍ରସ୍ତୁତ ନଥିବାରୁ ଏହାକୁ ନେଇ ଅଚଳାବସ୍ଥା ଲାଗି ରହିଛି। ଅନ୍ୟପକ୍ଷରେ ମୁକେଶ ସାହାଣୀଙ୍କ  ଦଳ ଅଧିକ ଆସନ ଓ ଉପ-ମୁଖ୍ୟମନ୍ତ୍ରୀ ପଦ ଦାବି କରି ମେଣ୍ଟ ଛାଡ଼ିବା  ସଙ୍କେତ ଦେଇଛି।

ମହାମେଣ୍ଟରେ ମୁଖ୍ୟମନ୍ତ୍ରୀ କିମ୍ବା ଉପ-ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନେଇ ମତଭେଦ ରହିଛି। କଂଗ୍ରେସ ଏହାର ବିରୋଧ କରୁଛି ଏବଂ ଏହା ଆଲୋଚନାକୁ ଜଟିଳ କରିଛି। ଅନ୍ୟପକ୍ଷରେ ତେଜସ୍ବୀ ଯାଦବ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ସହ ଏହାକୁ ନେଇ କୌଣସି ଦ୍ବନ୍ଦ୍ବ ନାହିଁ ବୋଲି ଦାବି କରିଛନ୍ତି। ଆସନ ବଣ୍ଟନ ଘୋଷଣାରେ ବିଳମ୍ବ ସତ୍ତ୍ୱେ ଆର୍‌ଜେଡି ୫୦ରୁ ଅଧିକ ପ୍ରାର୍ଥୀଙ୍କ ନାମ ଅଣାନୁଷ୍ଠାନିକ ଭାବେ ଘୋଷଣା କରିବା ଅଡ଼ୁଆ ବଢ଼ାଇଛି। ପ୍ରଥମ ପର୍ଯ୍ୟାୟରେ ଯେଉଁ ଆସନଗୁଡ଼ିକରେ କୌଣସି ଜଟିଳତା ନାହିଁ, ସେଠାରେ ନାମାଙ୍କନ ପାଇଁ ପ୍ରସ୍ତୁତି ଚାଲିଛି। ସିପିଏମ ମଧ୍ୟ ଦୁଇ ବିଧାୟକଙ୍କ ନାମାଙ୍କନକୁ ଅନୁମୋଦନ କରିଛି।