ବେଜିଙ୍ଗ୍: ଭାରତ ଭାଇ, କିନ୍ତୁ ଚୀନ୍ ଦୀର୍ଘ ଦିନରୁ ହଜି ଯାଇଥିବା ସମ୍ପର୍କୀୟ ଭାଇ ମିଳିଯିବା ପରି। ଏ କଥା କହିଛନ୍ତି ଚୀନ୍ ପ୍ରତି ମାଳଦ୍ୱୀପର ରାଷ୍ଟ୍ରଦୂତ ମହମ୍ମଦ ଫୈସାଲ। ଦିଲ୍ଲୀର ଚିନ୍ତା ସତ୍ତ୍ୱେ ତାଙ୍କ ଦେଶ ଚୀନ୍ର ପ୍ରକଳ୍ପ ସହ ଆଗେଇ ଚାଲିବ।
ଦକ୍ଷିଣ ଚୀନ୍ର ‘ମର୍ଣ୍ଣିଂ ପୋଷ୍ଟ୍’କୁ ଫୈସାଲ୍ କହିଛନ୍ତି ଯେ ମାଳଦ୍ୱୀପ ଆହୁରି ଚୀନ୍ର ନିବେଶକୁ ଗ୍ରହଣ କରିବାକୁ ଇଚ୍ଛୁକ ଥିଲେ ବି ଚୀନ୍ ଓ ଭାରତ ମଧ୍ୟରେ ଛନ୍ଦି ହୋଇ ପଡ଼ିବାର ବିପଦ୍ ପ୍ରତି ସଜାଗ ରହିଛି।
ଗୁରୁବାର ଦିନ କୂଟନୀତିଜ୍ଞ ଫୈସାସଲ୍ କହିଛନ୍ତି: ବହୁ ଦିନରୁ ହଜି ଯାଇଥିବା ସମ୍ପର୍କୀୟ ଭାଇକୁ ପାଇଲା ପରି ଆମେ ଚୀନ୍କୁ ପାଇଛୁ। ବହୁ ଦିନୁ ହଜି ଯାଇଥିବା ଭାଇ ଆମକୁ ସାହାଯ୍ୟ କରିବାକୁ ଚାହୁଁଛି। ଭାରତ ଭାଇ। ଆମେ ଗୋଟିଏ ପରିବାର। ଆମେ କଜିଆ କରି ପାରୁ, ଯୁକ୍ତି କରିପାରୁ କିନ୍ତୁ, ଶେଷକୁ ଆମେ ବସି ତା’ର ସମାଧାନ କରିବୁ।
ସେ କହିଛନ୍ତି ଯେ ମାଳଦ୍ୱୀପ ଗୁଡ଼ାଏ ପ୍ରକଳ୍ପ ଧରି ଆର୍ଥିକ ସହାୟତା ପାଇଁ ଭାରତ ପାଖକୁ ଯାଇଥିଲା କିନ୍ତୁ, କୌଣସି ଆବଶ୍ୟକ ସାହାଯ୍ୟ ପାଇ ନାହିଁ। କିନ୍ତୁ, ଏକବିଂଶ ଶତାବ୍ଦୀରେ ଭାରତ ମହାସାଗରରେ ମେରିଟାଇମ୍ ସିଲ୍କ୍ ରୋଡ୍ ଯୋଜନା କରିଥିବା ଚୀନ୍ ମାଳଦ୍ୱୀପକୁ ମୁଖ୍ୟ ଅଂଶଗ୍ରହଣକାରୀ ଦୃଷ୍ଟିରେ ଦେଖି ଆମ ଦେଶରେ ବହୁ ଅର୍ଥ ବିନିଯୋଗ କରିଛି।
ନିକଟରେ ଉପୁଜି ଥିବା ସଂକଟ ସମୟରେ ଆନ୍ତର୍ଜାତିକ ଚାପ କବଳରୁ ମୁକ୍ତି ଦେଇ ମାଳଦ୍ୱୀପର ରାଷ୍ଟ୍ରପତି ଅବ୍ଦ୍ଦୁଲା ୟାମୀନ୍ଙ୍କୁ କ୍ଷମତାରେ ରହିବାକୁ ସୁରକ୍ଷା ଯୋଗାଇ ଦେଇଛି। ଗତ ମାସରେ ସୁପ୍ରିମ୍ କୋର୍ଟ ବନ୍ଦୀ ଥିବା ୯ ଜଣ ବିରୋଧୀ ରାଜନେତାଙ୍କୁ ମୁକ୍ତି କରିବାକୁ କହିବାରୁ ଦେଶରେ ସଂକଟମୟ ପରିସ୍ଥିତି ଉପୁଜିଥିଲା।
ଏହି ରାୟକୁ ମାନିବାକୁ ସରକାର ମନା କରିବା ସହ ୟାମୀନ୍ ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ।