ଜାତିସଂଘ ନିରାପତ୍ତା ପରିଷଦ୍‌ରେ ୟୁକ୍ରେନ୍‌ ବିଷୟରେ ଆଲୋଚନା ପୂର୍ବରୁ ଆଗତ ପ୍ରକ୍ରିୟାତ୍ମକ ଭୋଟ୍‌ରୁ ବିରତ ହେଲା ଭାରତ

ନୂଆଦିଲ୍ଲୀ: ୟୁକ୍ରେନ ସୀମାନ୍ତ ପରିସ୍ଥିତି ବିଷୟରେ ଆଲୋଚନା ନିମନ୍ତେ ଜାତିସଂଘ ନିରାପତ୍ତା ପରିଷଦ୍‌ରେ ଆଗତ ପ୍ରକ୍ରିୟାତ୍ମକ ଭୋଟ୍‌ରୁ ସୋମବାର ଦିନ ଭାରତ ନିବୃତ ରହିଛି।

ୟୁକ୍ରେନ୍ ସମସ୍ୟା ଆଲୋଚନା ସପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍‌, ଫ୍ରାନ୍‌ସ୍‌, ୟୁଏଇ, ଘାନା, ଆଲ୍‌ବାନିଆ, ନର୍‌ୱେ, ବ୍ରାଜିଲ୍‌, ମେକ୍ସିକୋ ଏବଂ ଆୟର୍ଲାଣ୍ଡ୍‌ ଆଦି ୧୦ଟି ସଦସ୍ୟ ରାଷ୍ଟ୍ର ଭୋଟ୍‌ ଦେଇଥିଲେ। ଅପର‌ପକ୍ଷେ, କେବଳ ଦୁଇଟି ସଦସ୍ୟ ରାଷ୍ଟ୍ର ରୁଷ୍‌ ଓ ଚୀନ୍‌ ଆଲୋଚନା ବିପକ୍ଷରେ ଭୋଟ୍‌ ଦେଇଥିଲେ।

କିନ୍ତୁ, ଭାରତ, ଗା‌ବନ୍‌ ଏବଂ କେନିଆ- ଏହି ତିନୋଟି ରାଷ୍ଟ୍ର ଭୋଟ୍‌ ଦେବାରୁ ନିବୃତ ରହିଛନ୍ତି।

Image Courtesy of Deccan Herald

ଆଲୋଚନା ନିମନ୍ତେ କୌଣସି ପ୍ରସଙ୍ଗକୁ ଗ୍ରହଣ କରିବା ଲାଗି ନିରାପତ୍ତା ପରିଷଦ୍‌ ସେ ସପକ୍ଷରେ ମାତ୍ର ୯ଟି ଭୋଟ୍‌ ଆବଶ୍ୟକ କରେ।

ଜାତିସଂଘ ନିରାପତ୍ତା ପରିଷଦ୍‌ ପ୍ରତି ଭାରତର ପ୍ରତିନିଧି ଏକ ବିବୃତିରେ କହିଛନ୍ତି, ରୁଷ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ଉଚ୍ଚସ୍ତରୀୟ ନିରାପତ୍ତା ଆଲୋଚନା ତଥା ପ୍ୟାରିସ୍‌ର ‘ନର୍ମାଡି ଫର୍ମାଟ୍‌’ ସମେତ ଆମେ ୟୁକ୍ରେନ୍‌ ସମସ୍ୟା ସଂକ୍ରାନ୍ତ ଅଗ୍ରଗତି ଉପରେ ଆମେ ଦୃଷ୍ଟି ରଖିଛୁ।

ସମସ୍ତ ଦେଶ ପାଇଁ ଗ୍ରହଣୀୟ ନିରାପତ୍ତା ସ୍ବାର୍ଥକୁ ଚାହିଁ ତ୍ବରିତ ଉତ୍ତେଜନା ହ୍ରାସ ପାଇଁ ସାମଧାନ ଉପାୟ କରିବା ଉପରେ ଭାରତର ଆଗ୍ରହ ରହିଛି। ସେ ଅଞ୍ଚଳ ଏବଂ ତା’ ବାହାରେ ଦୀର୍ଘସ୍ଥାୟୀ ଶାନ୍ତି ଓ ସ୍ଥିରତା ହାସଲ କରାଯାଉ ବ‌ୋଲି ମଧ୍ୟ ଭାରତ ଚାହେଁ। ଆମେ ସମସ୍ତ ପକ୍ଷଙ୍କ ସହ ଯୋଗାଯୋଗ ରଖିଛୁ। କୂଟନୈତିକ ଆଲୋଚନା ମାଧ୍ୟମରେ ହିଁ କେବଳ ଏହି ସମସ୍ୟା ସମାଧାନ କରାଯାଇ ପାରିବ ବୋଲି ଆମେ ବିବେଚନା କରିଛୁ।

ସମ୍ବନ୍ଧିତ ଖବର