ଆଇଏଇଏରେ ଇରାନ ବିରୋଧୀ ଭୋଟଦାନରୁ ବିରତ ରହିଲା ଭାରତ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି(ଆଇଏଇଏ)ରେ ଇରାନ ବିରୋଧରେ ଆଗତ ଏକ ପ୍ରସ୍ତାବର ଭୋଟ ଗ୍ରହଣ ବେଳେ ଭାରତ ଅନୁପସ୍ଥିତ ରହିଛି । ପାଶ୍ଚାତ୍ୟ ଦେଶଙ୍କ ଚାପ ଆଗରେ ମୁଣ୍ଡ ନ ନୁଆଇଁ ଭାରତ ଏଥିରୁ ଅନୁପସ୍ଥିତ ଥିଲା ।

ଆଇଏଇଏର ୩୫ ଦେଶୀୟ ବୋର୍ଡ ବୈଠକରେ ଇରାନ ବିରୋଧରେ ଏକ ପ୍ରସ୍ତାବ ଆଗତ ହୋଇଛି । ପ୍ରସ୍ତାବ ବିପକ୍ଷରେ ରୁଷ ଓ ଚୀନ ଭୋଟ ଦେଇଥିବାବେଳେ ଭାରତ, ପାକିସ୍ତାନ ଓ ଲିବିୟା ଅନୁପସ୍ଥିତ ଥିଲେ । ଆମେରିକା, ଇଂଲଣ୍ଡ ସମେତ ଅନ୍ୟ ଦେଶମାନେ ପ୍ରସ୍ତବ ସପକ୍ଷରେ ଭୋଟ ଦେଇଥିଲେ । ଇରାନର ୩ଟି ଗୋପନ କେନ୍ଦ୍ରରେ ଆଣବିକ ସାମଗ୍ରୀ ଚିହ୍ନଟ ହେବା ପରେ ଓ ଏ ସଂପର୍କରେ ଇରାନ କୌଣସି ଯୁକ୍ତିଯୁକ୍ତ ଉତ୍ତର ଦେଇନପାରିବାରୁ, ଇରାନ ବିରୋଧରେ ଏହି  ନିନ୍ଦା ପ୍ରସ୍ତାବ ଆଗତ ହୋଇଥିଲା ।

ଆଇଏଇଏର କମ୍ପ୍ରେନସିଭ ସେଫଗାର୍ଡ ଆଗ୍ରିମେଣ୍ଟ ଅନୁସାରେ ଇରାନ ପକ୍ଷରୁ କରାଯାଇଥିବା ଘୋଷଣାର ସତ୍ୟତାକୁ ନେଇ ସନ୍ଦେହ ରହିଛି ବୋଲି ଆଇଏଇଏ ଡିଜି ରାଫେଲ ଗ୍ରୋସି କହିଥିଲେ । ୟୁପିଏ ସରକାରଙ୍କ ସମୟରେ ୨୦୦୫, ୨୦୦୬ ଓ ୨୦୦୯ରେ ଭାରତ ଇରାନ ବିରୋଧରେ ଭୋଟ ଦେଇଥିଲା । ଏବେ ଇରାନ ବିରୋଧୀ ଭୋଟ ବେଳେ ଭାରତ ଅନୁପସ୍ଥିତ ରହିବା ମୋଦୀ ସରକାରଙ୍କ ଇରାନ ନୀତିରେ ଏକ ପରିବର୍ତ୍ତନ ବୋଲି କୁହାଯାଉଛି ।

 

ସମ୍ବନ୍ଧିତ ଖବର