ଜାତିସଂଘ ମାନବ ଅଧିକାର କମିସନ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଆଗତ ପ୍ରସ୍ତାବନାରେ ଭୋଟ୍‌ ଦେବାରୁ ନିବୃତ୍ତ ରହିଲା ଭାରତ

ନୂଆଦିଲ୍ଲୀ: ଯୁଦ୍ଧ ଅପରାଧ ଏବଂ ମାନବିକ ଅଧିକାର ଉଲ୍ଲଂଘନ ନିମନ୍ତେ ଶ୍ରୀଲଙ୍କାକୁ ଦାୟୀ କରିବା ନିମନ୍ତେ ମଙ୍ଗଳବାର ଦିନ ଜାତିସଂଘ ମାନବିକ ଅଧିକାର ପରିଷଦ୍‌ରେ ଆଗତ ଏକ ପ୍ରସ୍ତାବନାରେ ଭୋଟ୍‌ ଦେବାରୁ ଭାରତ ନିବୃତ୍ତ ରହିଛି। ଆଗାମୀ ବିଧାନସଭା ନିର୍ବାଚନରେ ତାମିଲ ସମ୍ପ୍ରଦାୟଙ୍କ ସଦିଚ୍ଛା ଏବଂ ପଡ଼ୋଶୀ ଦେଶ ସହ ସମ୍ପର୍କ ନ ବିଗାଡ଼ିବା ଲାଗି ଭାରତ ଏଭଳି କୂଟନୈତିକ ସନ୍ତୁଳନ ରକ୍ଷା କରିଥିବା ଜଣାପଡ଼ିଛି।

ଉପରୋକ୍ତ ପ୍ରସ୍ତାବନାକୁ ସମର୍ଥନ କରିବା ନିମନ୍ତେ ତାମିଲନାଡୁର ରାଜନୈତିକ ଦଳମାନେ ସରକାରଙ୍କ ଉପରେ ଚାପ ପକାଉଥିଲେ। ୨୦୧୨ ଏବଂ ୨୦୧୩ରେ ଏଭଳି ଦୁଇଟି ପ୍ରସ୍ତାବନା ସପକ୍ଷରେ ଭାରତ ଭୋଟ୍‌ ଦେଇଥିଲା। କିନ୍ତୁ, ୨୦୧୪ରେ ଶ୍ରୀଲଙ୍କା ବିରୋଧରେ ଆଗତ ଯୁଦ୍ଧ ଅପରାଧ ସମ୍ବନ୍ଧୀୟ ଦତନ୍ତ ସଂକ୍ରାନ୍ତ ପ୍ରସ୍ତାବନାରେ ଭୋଟ୍‌ ଦେବାରୁ ଭାରତ ନିବୃତ୍ତ ରହିଥିଲା।

Image Courtesy of The Times of India

ମଙ୍ଗଳବାର ଦିନ ଅନୁଷ୍ଠିତ ଜାତିସଂଘ ମାନବିକ ଅଧିକାର ପରିଷଦ୍‌‌ର ୪୬ତମ ଅଧିବେଶନରେ ଶ୍ରୀଲଙ୍କା ବିରୋଧରେ ଏହି ପ୍ରସ୍ତାବନା ଆଗତ କରାଯାଇଥିଲା। ୪୭ଟି ସଦସ୍ୟ ରାଷ୍ଟ୍ରରୁ ୨୨ଟି ସଦସ୍ୟ ରାଷ୍ଟ୍ର ଏହି ପ୍ରସ୍ତାବନା ସପକ୍ଷରେ ଭୋଟ୍‌ ଦେଇଥିଲା ବେଳେ ନେପାଳ ସମେତ ୧୧ଟି ରାଷ୍ଟ୍ର ଭୋଟ୍‌ ଦେବାରୁ ନିବୃତ୍ତ ରହିଥିଲେ।

‘ପର୍‌ମାନେଣ୍ଟ୍‌ ମିସନ୍‌ ଅଫ୍‌ ଇଣ୍ଡିଆ’ର ପ୍ରଥମ ସଚିବ ପବନ ବାଧେ କହିଛନ୍ତି, ଶ୍ରୀଲଙ୍କାର ବିରୋଧରେ ଉଠିଥିବା ମାନବିକ ଅଧିକାର ଉଲ୍ଲଂଘନ ବିଷୟ ପ୍ରତି ଭାରତର ଦୃଷ୍ଟିକୋଣ ଦୁଇଟି ମୌଳିକ ବିଚାରବୋଧଦ୍ୱାରା ପରିଚାଳିତ। ଗୋଟିଏ ହେଉଛି, ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲମାନଙ୍କ ପାଇଁ ସମାନତା, ନ୍ୟାୟ, ମର୍ଯ୍ୟାଦା ଏବଂ ଶାନ୍ତି ଆଦିକୁ ସମର୍ଥନ କରିବା। ଅନ୍ୟଟି ହେଉଛି ଶ୍ରୀଲଙ୍କାର ଐକ୍ୟ, ସ୍ଥିରତା ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ସୁନିଶ୍ଚିତ ରହିବା। ଏହି ଦୁଇଟି ଲକ୍ଷ୍ୟ ପରସ୍ପର ଉପରେ ନିର୍ଭରଶୀଳ ଏବଂ ଶ୍ରୀଲଙ୍କାର ପ୍ରଗତି ପାଇଁ ମଧ୍ୟ ଅପରିହାର୍ଯ୍ୟ।

ସମ୍ବନ୍ଧିତ ଖବର