ନୂଆଦିଲ୍ଲୀ: ଜାତିସଂଘରେ ଭାରତ ଆଜି ପାକିସ୍ତାନ ବିରୋଧରେ ଗର୍ଜିଛି। ପାକିସ୍ତାନ ଏହାର ଚିରାଚରିତ ଢଙ୍ଗରେ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇବାପରେ ଭାରତ ଏହାର କଡ଼ା ଜବାବ ଦେଇଛି। ଭାରତ କହିଛି ପାକିସ୍ତାନ ପିଓକେ (ପାକ୍‌ ଅଧିକୃତ କାଶ୍ମୀର) ଛାଡ଼ିଦେଉ ଏବଂ ସୀମାପାର ଆତଙ୍କବାଦ ବନ୍ଦ କରୁ। ପାକିସ୍ତାନ ନିଜ ମାଟିରେ ଚାଲିଥିବା ଆତଙ୍କବାଦ ଭିତ୍ତିଭୂମିଗୁଡ଼ିକୁ ବନ୍ଦ ନକଲେ ପସ୍ତାଇବାକୁ ବାଧ୍ୟ ବୋଲି ଭାରତ କହିଛି। ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଅନୱର ଉଲ ହକ୍‌ ନ୍ୟୁୟର୍କରେ ଜାତିସଂଘର ୭୮ତମ ଅଧିବେଶନରେ ଉଦ୍‌ବୋଧନ ଦେବା ସମୟରେ କାଶ୍ମୀର ପ୍ରସଙ୍ଗ ଉଠାଇବାରୁ ଭାରତ ଏହାର କଡ଼ା ଜବାବ ଦେଇଛି। ପାକିସ୍ତାନ ଲଗାତାର ଭାବେ ଭାରତ ବିରୋଧୀ ପ୍ରଚାର ପାଇଁ ଅନ୍ତର୍ଜାତୀୟ ମଞ୍ଚର ବ୍ୟବହାର କରୁଥିବାରୁ ଭାରତ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

Advertisment

ୟୁଏନ୍‌ଜିଏରେ ଭାରତୀୟ ମିସନର ପ୍ରଥମ ସଚିବ ପେଟଲ ଗେହଲଟ କହିଛନ୍ତି, ପାକିସ୍ତାନ ଭାରତ ବିରୋଧରେ ଭିତ୍ତିହୀନ ଏବଂ ଅପପ୍ରଚାର କରିବାପାଇଁ ଏହି ମଞ୍ଚ ବ୍ୟବହାର କରିବାରେ ଏକ ଅଭ୍ୟାସଗତ ଅବମାନନାକାରୀ। ପେଟଲ କହିଛନ୍ତି, ଜମ୍ମୁ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଂଶ। ଭାରତର ଘରୋଇ ପ୍ରସଙ୍ଗରେ ପାକିସ୍ତାନ କୌଣସି ଟିପ୍ପଣୀ ରଖିପାରିବନି ବୋଲି ସେ କହିଛନ୍ତି। ଦକ୍ଷିଣ ଏସିଆରେ ଶାନ୍ତି ପାଇଁ ପାକିସ୍ତାନକୁ ୩ଟି କାର୍ଯ୍ୟ କରିବାକୁ ପଡ଼ିବ। ପ୍ରଥମଟି ହେଉଛି ପାକିସ୍ତାନ ପ୍ରଥମେ ସୀମାପାର ଆତଙ୍କବାଦ ବନ୍ଦ କରୁ ଏବଂ ଏହାର ଆତଙ୍କବାଦ ଭିତ୍ତିଭୂମିକୁ ତୁରନ୍ତ ବନ୍ଦ କରୁ। ଦ୍ବିତୀୟରେ ବେଆଇନ ଭାବେ ନିଜ ନିୟନ୍ତ୍ରଣରେ ରଖିଥିବା ଭାରତୀୟ ଅଞ୍ଚଳକୁ ଏହା ଛାଡ଼ିଦେଉ। ତୃତୀୟଟି ହେଉଛି ପାକିସ୍ତାନରେ ସଂଖ୍ୟାଲଘୁଙ୍କ ମାନବାଧିକାର ଉଲ୍ଳଂଘନ ବନ୍ଦ ହେଉ। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପଛରେ ଥିବା ଅପରାଧୀଙ୍କ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ମଧ୍ୟ ଭାରତ କହିଛି। ଉଲ୍ଲେଖଯୋଗ୍ୟ, କକର ପ୍ରଥମେ ଜାତିସଂଘରେ ଉଦ୍‌ବୋଧନ ଦେଇ କହିଥିଲେ, ତାଙ୍କ ରାଷ୍ଟ୍ର ଭାରତ ସହ ଶାନ୍ତି ଚାହେ ଏବଂ କାଶ୍ମୀର ଉଭୟ ରାଷ୍ଟ୍ର ମଧ୍ୟରେ ଶାନ୍ତି ରଖିବାର ମୁଖ୍ୟ ମାଧ୍ୟମ ବୋଲି ସେ କହିଥିଲେ। ଏହାପରେ ଭାରତ କଡ଼ା ଜବାବ ରଖିଥିଲା।