ନୂଆଦିଲ୍ଲୀ: ଷ୍ଟକ୍‌ହୋମ୍ ଇଣ୍ଟର୍‌ନ୍ୟାସ୍‌ନାଲ ପିସ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ସିପ୍ରି)ର ଏକ ଇୟର୍‌ବୁକ୍ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ତୁଳନାରେ ଭାରତ ପାଖରେ ଏବେ ଅଧିକ ପରମାଣୁ ଯୁଦ୍ଧାସ୍ତ୍ର ରହିଛି। ୨୦୨୪ରେ ଭାରତ ପାଖରେ ୧୭୨ଟି ଯୁଦ୍ଧାସ୍ତ୍ର ଥିବା ବେଳେ ୨୦୨୫ରେ ଏହା ୧୮୦କୁ ବୃଦ୍ଧି ପାଇଛି। ଅପରପକ୍ଷରେ ୨୦୨୪ ପରଠାରୁ ପାକିସ୍ତାନର ଯୁଦ୍ଧାସ୍ତ୍ରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳି ନ ଥିଲା ଏବଂ ଆଜି ସୁଦ୍ଧା ଇସଲାମାବାଦର ଭଣ୍ଡାରରେ ମୋଟ ୧୭୦ଟି ପରମାଣୁ ଯୁଦ୍ଧାସ୍ତ୍ର ରହିଛି।

Advertisment

ଯୋଡ଼ିଲା ଆଉ ୮ଟି ଯୁଦ୍ଧାସ୍ତ୍ର: ରିପୋର୍ଟ

ବର୍ତ୍ତମାନ ଭାରତ ପାଖରେ ୧୮୦, ପାକିସ୍ତାନ ପାଖରେ ୧୭୦ଟି ପରମାଣୁ ଯୁଦ୍ଧାସ୍ତ୍ର ଅଛି
ଆମେରିକା ଓ ରୁଷ୍ ପାଖରେ ଅଛି ବିଶ୍ବର ୯୦% ପରମାଣୁ ଅସ୍ତ୍ର

୧୯୬୬ ମସିହାରେ ସ୍ଥାପିତ ସିପ୍ରି ହେଉଛି ଏକ ସ୍ୱାଧୀନ ଅନୁଷ୍ଠାନ ଯାହା ସଂଘର୍ଷ, ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଓ ନିରସ୍ତ୍ରୀକରଣ ଉପରେ ଗବେଷଣା କରିଥାଏ। ଏହାର ରିପୋର୍ଟରେ କୁହାଯାଇଛି ଯେ, ଭାରତ ଗତ ବର୍ଷ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରକୁ ସାମାନ୍ୟ ବୃଦ୍ଧି କରିଛି। କିନ୍ତୁ ଗତ ଏକ ବର୍ଷ ମଧ୍ୟରେ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଭଣ୍ଡାରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ସିପ୍ରି ରିପୋର୍ଟରେ ବାୟୁ, ସମୁଦ୍ର ଓ ସ୍ଥଳ ଭାଗରେ ସାମର୍ଥ୍ୟରେ ବିବିଧତା ଆଣିବାରେ ଭାରତର ଦ୍ରୁତ ପୁଞ୍ଜିନିବେଶ ଉପରେ ଆଲୋକପାତ କରାଯାଇଛି। 

ଏପ୍ରିଲ୍ ୨୨ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତର ଅପରେସନ ସିନ୍ଦୂର ଗତ ଦଶନ୍ଧି ମଧ୍ୟରେ ଦିଲ୍ଲୀର ସବୁଠାରୁ ବଡ଼ ରଣନୈତିକ ପଦକ୍ଷେପ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଡ଼ୋଶୀ ଦେଶକୁ କଡ଼ା ଚେତାବନୀ ଦେଇ କହିଥିଲେ ଯେ ଭାରତ କୌଣସି ପ୍ରକାର ପରମାଣୁ ବ୍ଲାକ୍‌ମେଲ୍‌କୁ ବରଦାସ୍ତ କରିବ ନାହିଁ। ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ ଶୀତଳ ଯୁଦ୍ଧ ପରବର୍ତ୍ତୀ ଢାଞ୍ଚାରୁ ଅଲଗା ହୋଇ ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧିର ବିଶ୍ୱସ୍ତରୀୟ ଧାରାରେ ଭାରତ ସାମିଲ ହୋଇଛି। ସିପ୍ରିର ଇୟର୍‌ବୁକ୍ ଅନୁଯାୟୀ, ସମଗ୍ର ବିଶ୍ୱରେ ୧୨,୨୪୧ଟି ପରମାଣୁ ଯୁଦ୍ଧାସ୍ତ୍ର ରହିଛି, ଯାହା ୯ଟି ପରମାଣୁ ଶକ୍ତିସମ୍ପନ୍ନ ଦେଶ ପାଖରେ ରହିଛି। ସେଥିମଧ୍ୟରୁ ୯,୬୧୪ଟି ଭଣ୍ଡାରରେ ମହଜୁଦ ଥିବା ବେଳେ ୩,୯୧୨ଟି ମୁତୟନ ହୋଇଛି। ଆମେରିକା ଓ ରୁଷ୍ ସାରା ବିଶ୍ୱରେ ୯୦ ପ୍ରତିଶତ ପରମାଣୁ ଅସ୍ତ୍ରଶସ୍ତ୍ରର ମାଲିକ। ଚୀନ୍ ପାଖରେ ୬୦୦ ପରମାଣୁ ଯୁଦ୍ଧାସ୍ତ୍ର ଥିବା ବେଳେ ୨୪ଟି ମୁତୟନ କରାଯାଇଛି।