ନୂଆଦିଲ୍ଲୀ: ଭାରତ ମଣ୍ଡପମ୍‌ରେ ଆୟୋଜିତ ବିଶ୍ବର ସର୍ବବୃହତ୍‌ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଛନ୍ତି। ସେ ବିଭିନ୍ନ ଷ୍ଟଲ୍‌ ପରିଦର୍ଶନ କରି ଏକ୍ସପୋରେ ଭାଗ ନେଇଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ସହ ଆ‌ଲୋଚନା କରିଛନ୍ତି। ଚଳିତ ମାସ ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆ, ଜାପାନ, ରୁଷ, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଓ ଇଟାଲୀ ଭଳି ୧୩ଟି ଦେଶ ସେମାନଙ୍କ ସ୍ବତନ୍ତ୍ର ପାଭିଲିୟନ ସ୍ଥାପନ କରିଛନ୍ତି। ଅନ୍ୟ ପକ୍ଷରେ ୬୦୦ଟି ଷ୍ଟାର୍ଟଅପ୍‌ ମଧ୍ୟ ସେମାନଙ୍କ ଅଭିନବ ଏଆଇ ଚିନ୍ତାଧାରାକୁ ଉପସ୍ଥାପନ କରିଛନ୍ତି। ଆସନ୍ତାକାଲି ସମ୍ମିଳନୀ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲାରହିବ। ତିନିଟି ସ୍ତମ୍ଭ ଜନତା, ଗ୍ରହ ଓ ପ୍ରଗତି ଉପରେ ଆଧାରିତ ଏହି ସମ୍ମିଳନୀରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ମଧ୍ୟ ସେମାନଙ୍କ ପାଭିଲିୟନ ସ୍ଥାପନ କରିଛନ୍ତି।

Advertisment

ସରକାରୀ ଆକଳନ ଅନୁସାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬କୁ ଅ‌ଢ଼େଇ ଲକ୍ଷରୁ ଅଧିକ ପ୍ରତିନିଧି ପରିଦର୍ଶନ କରିବେ। ଏଥିରେ ୫୦୦ରୁ ଅଧିକ ଅଧିବେଶନ ଆୟୋଜନ କରାଯିବ ଯେଉଁଥିରେ ୩୨୫୦ରୁ ଅଧିକ ବକ୍ତା ଭାଗନେବେ। ୭୦ହଜାର ବର୍ଗମିଟରରୁ ଅଧିକ ସ୍ଥାନରେ ଆ‌ୟୋଜନ କରାଯାଇଥିବା ଏହି ସମ୍ମିଳନୀରେ ୧୦ଟି ଆରେନା ରହିଛି। ଏହି ସମ୍ମିଳନୀରେ ଗୋଟିଏ ସ୍ଥାନରେ ବିଶ୍ବର ଅଗ୍ରଣୀ ପ୍ରଯୁକ୍ତି କମ୍ପାନି, ଟେକ୍‌ ଲିଡର୍‌, ଷ୍ଟାର୍ଟଅପ୍‌, ଗବେଷଣା ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଏକତ୍ରୀତ ହୋଇଛନ୍ତି।

ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଥିଲେ ଯେ ଏଆଇ ରୂପାନ୍ତର କ୍ଷେତ୍ରରେ ଭାରତ ଆଗରେ ରହିଛି। ଏଆଇ କ୍ଷେତ୍ରରେ ହେଉଥିବା ପ୍ରୟାସ ଭାରତର ଉଭୟ ଅଭିଳାଷ ଏବଂ ଦାୟିତ୍ବକୁ ପ୍ରତିଫଳିତ କରୁଛି। ଏଆଇ ଉପରେ ଆଲୋଚନା ପାଇଁ ସାରା ବିଶ୍ବ ଆଜିଠାରୁ ଏକାଠି ହେଉଛନ୍ତି। ବିଶ୍ବର ନେତୃବୃନ୍ଦ, ଶିଳ୍ପଜଗତର ମୁଖ୍ୟ, ଉଦ୍ଭାବକ, ନୀତି ନିର୍ମାତା, ଗବେଷକ ଏବଂ ପ୍ରଯୁକ୍ତିପ୍ରେମୀମାନଙ୍କୁ ସେ ସ୍ବାଗତ କରିଥିଲେ।

ଏହି ସମ୍ମିଳନୀର ମୁଖ୍ୟ ବିଷୟ ରହିଛି ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’ ବା ସମସ୍ତଙ୍କ ପାଇଁ ସୁଖ ଏବଂ ସମସ୍ତଙ୍କ ପାଇଁ ଖୁସି। ମାନବ‌କୈନ୍ଦ୍ରିକ ପ୍ରଗତି ପାଇଁ କୃତ୍ରିମ ବୁଦ୍ଧିବତ୍ତା(ଏଆଇ)କୁ ବ୍ୟବହାର ପାଇଁ ଆମର ମିଳିତ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଆଇ ଆଜି ସ୍ବାସ୍ଥ୍ୟସେବାଠାରୁ ଆରମ୍ଭ କରି ଶିକ୍ଷା, କୃଷି, ଶାସନ ଏବଂ ଉଦ୍ୟୋଗ ଆଦି କ୍ଷେତ୍ରରେ ରୂପାନ୍ତର ଆଣୁଛି। ଏଆଇ ଇମ୍ପାକ୍ଟ ସମ୍ମିଳନୀ ଏ କ୍ଷେତ୍ରରେ ବିଭିନ୍ନ ଦିଗର ଆଲୋଚନାକୁ ସମୃଦ୍ଧ କରିବ। ସମ୍ମିଳନୀର ଫଳାଫଳ ଭବିଷ୍ୟତକୁ ନୂଆ ଦିଶା ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ଏଆଇ କ୍ଷେତ୍ରରେ ଆଗରେ ଥିବାରୁ ସେ ଦେଶର ୧୪୦ କୋଟି ଲୋକଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି। ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର୍‌ ଠାରୁ ଆରମ୍ଭ କରି ଚଳଚଞ୍ଚଳ ଷ୍ଟାର୍ଟଅପ୍‌ ପରିବେଶ ଏବଂ ନୂଆ ଗବେଷଣା ଆଦି ଏଆଇ କ୍ଷେତ୍ରରେ ଆମର ଅଭିଳାଷ ଓ ଦାୟିତ୍ବକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।