କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଗସ୍ତରେ କଂଗ୍ରେସ ନେତୃତ୍ବରେ ଗଠିତ ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି। ସେ ଆରାମବଗାରେ ୭,୨୦୦ କୋଟି ଟଙ୍କାର ଏକ ବିକାଶ ପରିଯୋଜନାର ଶିଳାନ୍ୟାସ କରି କହିଛନ୍ତି ସନ୍ଦେଶଖାଲିରେ ଯାହା ଘଟିଛି ତାହା ଅତ୍ୟନ୍ତ ନିନ୍ଦାଜନକ। ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି ଯାହା କରିଛି ତାହା ଅମାନୁଷିକ। ରାଜ୍ୟରେ ଦୁର୍ନୀତି ଏବଂ ଅତ୍ୟାଚାର ସୀମା ଲଙ୍ଘିଛି। ଟିଏମସି ରାଜ୍ୟରେ ଜଙ୍ଗଲ ଆଇନ ଚଳାଇଛି। ସନ୍ଦେଶଖାଲି ଘଟଣାରେ ଟିଏମସିର କାର୍ଯ୍ୟ ନେଇ ଇଣ୍ଡିଆ ମେଣ୍ଟ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରୁଛି। ଇଣ୍ଡିଆ ମେଣ୍ଟ ଗାନ୍ଧୀଜୀଙ୍କର ତିନି ମାଙ୍କଡ଼ ଭଳି ଆଖି-କାନ-ପାଟି ବନ୍ଦ କରିଛି, ସବୁ ଦେଖି ଶୁଣି କିଛି କହୁନି।
ଏନେଇ ଟିଏମସି ଅବା ଇଣ୍ଡିଆମେଣ୍ଟକୁ କ୍ଷମା କରାଯିବ ନାହିଁ। ବିଜେପିକର୍ମୀମାନେ ମହିଳାଙ୍କ ପାଇଁ ଠେଙ୍ଗାମାଡ଼ ଖାଇଛନ୍ତି। ବିଜେପିର ଚାପ ଯୋଗୁ ଅଭିଯୁକ୍ତକୁ ଗିରଫ କରିବାକୁ ପଡ଼ିଛି। ଅପରାଧି ତଥା ଟିଏମସି ନେତା ୨ ମାସ ପର୍ଯ୍ୟନ୍ତ ଫେରାର ରହିଥିଲା। ତାକୁ କିଏ ସୁରକ୍ଷା ଦେଉଥିଲା ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି।
ରାଜ୍ୟରେ ମାଟି,ମା’,ମାନୁଷର ସ୍ଲୋଗାନ ଦେଇ ଏଭଳି କାର୍ଯ୍ୟ କରିଥିବା ଟିଏମସିଠାରୁ ଆପଣମାନେ କ’ଣ ପ୍ରତିଶୋଧ ନେବେ ନାହିଁ ? ଏନେଇ ମୁଖ୍ୟମନ୍ତ୍ରୀ କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ମୁଁ ପଚାରୁଛି।
କେନ୍ଦ୍ର ସରକାର ପଶ୍ଚିମବଙ୍ଗ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ଗତ ୧୦ ବର୍ଷରେ ରାଜ୍ୟରେ ୧୫୦ରୁ ଅଧିକ ରେଳ ସେବା ଆରମ୍ଭ କରାଯାଇଛି। ଆମ ସରକାର ସମୟରେ ୧୦ ବର୍ଷରେ ଦେଶର ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟତାରୁ ଉପରକୁ ଉଠିଛନ୍ତି। ଆମ ସରକାରଙ୍କ ଦିଗ, ନୀତି ଏବଂ ନିର୍ଣ୍ଣୟ ଠିକ ରହିଛି। କାରଣ ଆମର ମୂଳ ଉଦ୍ଦେଶ୍ୟ ହିଁ ଠିକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।