ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ ରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଆରମ୍ଭ ପୂର୍ବରୁ ବିରୋଧୀ ଇଣ୍ଡିଆ ଆଲାଇନ୍ସ ନିଜର ଆଭିମୁଖ୍ୟକୁ ଜୋରଦାର୍ କରିଛି। ବାଚସ୍ପତି ନିର୍ବାଚନ ପୂର୍ବରୁ ଇଣ୍ଡିଆ ଆଲାଇନ୍ସ ପ୍ରୋଟେମ ସ୍ପିକର (ଅସ୍ଥାୟୀ ବାଚସ୍ପତି) ଚୟନକୁ ନେଇ ଆପତ୍ତି ଜଣାଇଛି। ବର୍ତ୍ତମାନ ଖବର ଆସୁଛି ଯେ ଲୋକସଭାର ପ୍ରୋଟେମ୍ ସ୍ପିକରଙ୍କ ସହାୟତା କରିବେ କି ନାହିଁ ସେ ନେଇ ବିରୋଧୀଦଳ ନେତା ଚିନ୍ତା କରୁଛନ୍ତି।

Advertisment

ବିରୋଧୀ ଦଳ କଂଗ୍ରେସର ଆଠଥର ଲୋକସଭା ସାଂସଦ କୋଡିକୁନିଲ ସୁରେଶଙ୍କୁ ପ୍ରୋଟେମ୍ ସ୍ପିକର ପାଇଁ ଅଣଦେଖା କରା ଯାଇଥିବା ଅଭିଯୋଗ କରିଛନ୍ତି। କୋଡିକୁନିଲ ସୁରେଶଙ୍କ ସ୍ଥାନରେ ବିଜେପି ସାଂସଦ ଭର୍ତ୍ତୃହରୀ ମହତାବଙ୍କୁ ପ୍ରୋଟେମ ସ୍ପିକର କରାଯିବା ସହ ଇଣ୍ଡିଆ ମିଳିତ ମଞ୍ଚ ନୂତନ ସଦସ୍ୟଙ୍କ ଶପଥ ଗ୍ରହଣ କରିବାରେ ସହଯୋଗ କରିବା ଭୂମିକାକୁ ପ୍ରତ୍ୟାଖ୍ୟାନ କରିବାର ସମ୍ଭାବନା ରହିଛି।

ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ଓଡ଼ିଶାର କଟକ ଲୋକସଭା ଆସନର ସାଂସଦ ଭର୍ତ୍ତୃହରୀ ମହତାବ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଦ୍ବାରା ସମ୍ବିଧାନର ଧାରା ୯୫ (୧) ଅନୁଯାୟୀ ପ୍ରୋଟେମ୍ ସ୍ପିକର ଭାବରେ ନିଯୁକ୍ତ ହୋଇଥିଲେ। ସେ ଜୁନ୍ ୨୬ରେ ବାଚସ୍ପତି ନିର୍ବାଚନ ହେବା ପର୍ଯ୍ୟନ୍ତ ଲୋକସଭା ଅଧ୍ୟକ୍ଷଙ୍କ ଦାୟିତ୍ବ ତୁଲାଇବେ।

ରାଷ୍ଟ୍ରପତି ମହତାବଙ୍କୁ ସାହାଯ୍ୟ କରିବା ପାଇଁ ବରିଷ୍ଠ ସାଂସଦମାନଙ୍କର ଏକ ପ୍ୟାନେଲ ମଧ୍ୟ ମନୋନୀତ କରିଥିଲେ, ଯେଉଁଥିରେ ତିନି ବିରୋଧୀ ଦଳର ସାଂସଦ - କଂଗ୍ରେସ ନେତା କେ. ସୁରେଶ, ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ ଏବଂ ଡିଏମକେ ସାଂସଦ ଟିଆର ବାଲୁଙ୍କ ନାମ ରହିଛି। ଏହି ତାଲିକାରେ ବିଜେପି ନେତା ରାଧା ମୋହନ ସିଂ ଏବଂ ଫଗନ୍ ସିଂ କୁଲାସ୍ତେଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।

ପ୍ରୋଟେମ୍ ବାଚସ୍ପତିଙ୍କୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ଅଭିଯୋଗ କରିଛି ଦଳିତ ସମ୍ପ୍ରଦାୟର ହୋଇଥିବାରୁ କୋଡିକୁନିଲ ସୁରେଶଙ୍କୁ ବିଜେପି ସରକାର ଅଣଦେଖା କରିଛନ୍ତି। ବିରୋଧୀ ଶିବିରର ସୂତ୍ରରୁ ପ୍ରକାଶ ଯେ ସୁରେଶ, ବାଲୁ ଏବଂ ବନ୍ଦୋପାଧ୍ୟାୟ ସେମାନଙ୍କୁ ଦିଆଯାଇଥିବା ଭୂମିକା ସ୍ବୀକାର କରିପାରିବେ ନାହିଁ।

ବିରୋଧୀଙ୍କ ଅଭିଯୋଗର ଜବାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ମହତାବଙ୍କ ନିଯୁକ୍ତିକୁ ଯଥାର୍ଥତା ଦେଇ କହିଛନ୍ତି ଯେ କୌଣସି ବାଧା ବିନା ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ସାଂସଦ ଏହି ପଦ ପାଇଁ ମନୋନୀତ ହୋଇଛନ୍ତି। ସେ କହିଛନ୍ତି ମହତାବ କୌଣସି ବିରତି ବିନା ସାତଥର ଲୋକସଭାର ସଦସ୍ୟ ରହିଛନ୍ତି। ମନ୍ତ୍ରୀମାନଙ୍କୁ ମଧ୍ୟରେ ସେ ହେଉଛନ୍ତି ଦୀର୍ଘତମ ସେବାରେ ଥିବା ସଦସ୍ୟ। କେ ସୁରେଶଙ୍କର ମୋଟ ଆଠଟି କାର୍ଯ୍ୟକାଳ ଅଛି, କିନ୍ତୁ ୨୦୦୪ ଏବଂ ୧୯୯୮ରେ ସେ କାର୍ଯ୍ୟକାଳରେ ନ ଥିଲେ। ପ୍ରୋଟେମ ସ୍ପିକର ଚୟନରେ କୌଣସି ନିୟମର ଉଲ୍ଲଂଘନ ହୋଇନାହିଁ। ଯେଉଁମାନେ ନିୟମ ପଢ଼ି ନାହାନ୍ତି ସେମାନେ ଅନୁଭବ କରୁଛନ୍ତି ଯେ ନିୟମର ଉଲ୍ଲଂଘନ ହୋଇଛି।

ଲୋକସଭା ନିର୍ବାଚନ ପରେ ସଂସଦର ପ୍ରଥମ ଅଧିବେଶନ ପୂର୍ବରୁ ପ୍ରୋଟେମ୍ ସ୍ପିକରଙ୍କ ନିଯୁକ୍ତି ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ବିବାଦର ବିଷୟ ପାଲଟିଛି। ଏନଇଇଟି-ଏନଇଟି ପ୍ରସଙ୍ଗ, ବଙ୍ଗଳାରେ ଟ୍ରେନ୍ ଦୁର୍ଘଟଣା, ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା, ଏକଜିଟ୍ ପୋଲ୍ ପରେ ସେୟାର ମୂଲ୍ୟରେ ହଠାତ୍ ବୃଦ୍ଧି ଏବଂ ନିର୍ବାଚନ ଫଳାଫଳ ଦିନ ସେୟାର ବଜାର ଭୁଶୁଡ଼ିବା ଭଳି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ଯୋଜନା କରିଛନ୍ତି।