ଟିକାଦାନ କେନ୍ଦ୍ରକୁ ଯିବାକୁ ଅକ୍ଷମ ଲୋକମାନଙ୍କୁ ଘରେ ଟିକା ଦିଆଯିବ, କେନ୍ଦ୍ର ଜାରି କଲା ନିୟମାବଳୀ

ନୂଆଦିଲ୍ଲୀ : ଏଣିକି ଦିବ୍ୟାଙ୍ଗ ଓ ଟିକାଦାନ କେନ୍ଦ୍ରକୁ ଯିବାକୁ ଅକ୍ଷମ ବରିଷ୍ଠ ନାଗରିକମାନଙ୍କୁ ଘରେ ଯାଇ କରୋନା ଟିକା ଦିଆଯିବ । ଏ ନେଇ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି ।

ନିତି ଆୟୋଗ ସଦସ୍ୟ ତଥା ସରକାରଙ୍କ ଟିକାକରଣ ସମ୍ପର୍କିତ ବିଶେଷଜ୍ଞ କମିଟିର ମୁଖ୍ୟ ଡଃ ଭି.କେ.ପଲ କହିଛନ୍ତି ଯେ ଯେଉଁ ଲୋକମାନେ ଟିକାଦାନ କେନ୍ଦ୍ରକୁ ଆସି ଟିକା ନେବାକୁ ସକ୍ଷମ ନୁହେଁ ସେମାନଙ୍କୁ ଘରକୁ ଯାଇ ଟିକା ଦିଆଯିବ । ଏ ନେଇ ଗାଇଡଲାଇନ ଜାରି ହୋଇସାରିଛି ଓ ଖୁବଶୀଘ୍ର ଏସଓପି (ମାନକ କାର୍ଯ୍ୟବିଧି) ଜାରି କରାଯିବ । ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ ଅବସରରେ ସେ ଏହି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ସେ କହିଛନ୍ତି ଯେ ଦେଶର ମୋଟ ପ୍ରାପ୍ତ ବୟସ୍କ ଜନସଂଖ୍ୟା (୧୮ ବର୍ଷରୁ ଅଧିକ)ର ୬୬ ପ୍ରତିଶତ ପ୍ରଥମ ମାତ୍ରା ବା ଡୋଜ୍ ଟିକା ନେଇସାରିଛନ୍ତି । ଏହି ଜନସଂଖ୍ୟାର ୨୩ ପ୍ରତିଶତ ଉଭୟ ଡୋଜ୍ ଟିକା ନେଇଛନ୍ତି । ଦେଶର ୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସବୁ ପ୍ରାପ୍ତ ବୟସ୍କ ଅତି କମରେ ଗୋଟିଏ ଟିକା ନେଇଛନ୍ତି । ଏସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ହେଲେ ଲକ୍ଷଦ୍ବୀପ, ଚଣ୍ଡିଗଡ଼,ଗୋଆ, ହିମାଚଳ ପ୍ରଦେଶ, ସିକ୍କିମ ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ।

Image

ଦିବ୍ୟାଙ୍ଗମାନେ ଯେପରି କରୋନା ସଂପର୍କିତ ସେବା (ପରୀକ୍ଷଣ, ଟିକାଦାନ ଆଦି) ସହଜରେ ପାଇପାରିବେ ସେଥିପାଇଁ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଏକ ଗାଇଡଲାଇନ ଜାରି କରାଯାଇଛି । ଏହି ଗାଇଡଲାଇନ ଅନୁସାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ସମନ୍ବୟରେ ଏହି ସେବା ଯୋଗାଇ ଦିଆଯିବ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଏଥିପାଇଁ ଶୀର୍ଷ ଅଧିକାରୀ (ନୋଡାଲ ଅଫିସର) ନିଯୁକ୍ତ କରାଯିବ । ସେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସମନ୍ବୟ ରଖି ଦିବ୍ୟାଙ୍ଗମାନଙ୍କ କରୋନା ପରୀକ୍ଷଣ, ଚିକିତ୍ସା, ଟିକାଦାନ ଆଦିକୁ ସୁଗମ କରିବେ ।

ସମ୍ବନ୍ଧିତ ଖବର