ଭାରତୀୟ ଟିକା ପ୍ରମାଣପତ୍ରକୁ ସ୍ବୀକୃତି ଦେଇଥିବା ୯୯ ଦେଶର ନାଗରିକ ସହଜରେ ଭାରତକୁ ଆସିପାରିବେ, କିପରି ଜାଣନ୍ତୁ ..
ନୂଆଦିଲ୍ଲୀ : ଭାରତୀୟ ଟୀକା ପ୍ରମାଣପତ୍ରକୁ ସ୍ବୀକୃତି ଦେଇଥିବା ବିଶ୍ବର ୯୯ଟି ଦେଶକୁ ଭାରତ ସରକାର କୃତଜ୍ଞତା ଜଣାଇଛନ୍ତି । କୃତଜ୍ଞତା ସ୍ବରୂପ ଏହି ଦେଶର ନାଗରିକମାନେ ଏଣିକି ଭାରତକୁ ଆସିଲେ ସେମାନଙ୍କୁ ବାଧ୍ୟତାମୂଳକ ଏକାନ୍ତବାସରେ ରହିବାକୁ ପଡ଼ିବ ନାହିଁ । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ସଂଶୋଧିତ ଗାଇଡଲାଇନରେ ଏ ସମ୍ପର୍କରେ ଘୋଷଣା କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସଂଶୋଧିତ ଗାଇଡଲାଇନ ଅନୁସାରେ ସଂପୂର୍ଣ୍ଣଭାବେ ଟିକାନେଇଥିବା ଏହି ୯୯ଟି ଦେଶର ନାଗରିକ ଭାରତୀୟ ଏୟାରପୋର୍ଟରେ ପହଞ୍ଚିବା ପରେ ସେମାନଙ୍କୁ ଏକାନ୍ତବାସରେ ରଖା ନଯାଇ ନିଜ ନିଜର ଗନ୍ତବ୍ୟ ସ୍ଥାନକୁ ଯିବାକୁ ଦିଆଯିବ । ତେବେ ସେମାନେ ପରବର୍ତ୍ତୀ ୧୪ ଦିନ ପାଇଁ ନିଜେ ନିଜର ସ୍ବାସ୍ଥ୍ୟର ତଦାରଖ କରିପାରିବେ ।
ଯଦି ସେମାନେ ଗୋଟିଏ ଡୋଜ ଟିକା ନେଇଥିବେ କିମ୍ବା ଆଦୌ ନେଇନଥିବେ ତେବେ ସେମାନେ ଏୟାରପୋର୍ଟରେ ପହଞ୍ଚିଲା ପରେ କୋଭିଡ୍ ପରୀକ୍ଷା ପାଇଁ ନିଜର ନମୁନା ଦେବେ । ଏହା ପରେ ସେମାନେ ଏୟାରପୋର୍ଟରୁ ଯାଇ ୭ ଦିନ ପାଇଁ ଏକାନ୍ତବାସରେ ରହିବେ । ୮ମ ଦିନରେ ସେମାନେ ପୁଣି ଥରେ ପରୀକ୍ଷା କରିବେ ଓ ଯଦି ନେଗେଟିଭ ବାହାରିଲା ତେବେ ପରବର୍ତ୍ତୀ ୭ ଦିନ ପାଇଁ ସେମାନେ ନିଜେ ନିଜର ସ୍ବାସ୍ଥ୍ୟର ତଦାରଖ କରିପାରିବେ ।
ତେବେ ଆଉ ୧୦ଟି ଦେଶର ନାଗରିକଙ୍କ ପାଇଁ କେତେକ ଅତିରିକ୍ତ କଟକଣା କରାଯାଇଛି ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି ।