ଭାରତ-ଆମେରିକା ୨+୨ ବୈଠକ, ଯେ କୌଣସି ବିପଦ ପାଇଁ ଭାରତ ସହ ରହିଛୁ: ପମ୍ପିଓ

ନୂଆଦିଲ୍ଲୀ: ଭାରତ-ଆମେରିକା ୨+୨ ବୈଠକ ପରିପ୍ରେକ୍ଷୀରେ ନୂଆଦିଲ୍ଲୀ ଗସ୍ତରେ ଆସିଥିବା ଆମେରିକା ବିଦେଶ ମନ୍ତ୍ରୀ ମାଇକ୍‌ ପମ୍ପିଓ ଚୀନ୍‌ ଉଦ୍ଦେଶ୍ୟରେ ଆଜି କଡ଼ା ବାର୍ତ୍ତା ଦେଇଛନ୍ତି । ଭାରତ ପ୍ରତି ଯେ କୌଣସି ବିପଦ ଆସିଲେ ବି ଆମେରିକା ଭାରତ ପଛରେ ରହିଛି ବୋଲି ସେ କହିଛନ୍ତି। ସେହିପରି ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନ ସେନା ସହ ଭାରତୀୟ ଯବାନଙ୍କ ମୁହାଁମୁହିଁ ସ୍ଥିତି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଭାରତର ସାର୍ବଭୌମତ୍ବ ରକ୍ଷା ଲାଗି ଯେ କୌଣସି ପଦକ୍ଷେପରେ ମଧ୍ୟ ଆମେରିକା ଭାରତ ସହ ରହିଛି।

ସୂଚନାଥାଉ କି, ଆମେରିକା ଓ ଭାରତ ମଧ୍ୟରେ ସାମରିକ ଓ ସୁରକ୍ଷା ସହଯୋଗ ଉଦ୍ଦେଶ୍ୟରେ ଗୁରୁତ୍ବପୂର୍ଣ୍ଣ କଥାବାର୍ତ୍ତା ଲାଗି ପମ୍ପିଓଙ୍କ ସହ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଟି ଏସ୍ପର ଗତ ସୋମବାର ଆସି ଏଠାରେ ପହଞ୍ଚିଛନ୍ତି। ଏହି ଅବସରରେ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କ ସହ ସେମାନଙ୍କର ୪୦ ମିନିଟ୍‌ ଧରି କଥାବାର୍ତ୍ତା ମଧ୍ୟରେ ଲଦାଖରେ ୧୭୫ ଦିନ ହେଲା ଜାରି ରହିଥିବା ମୁହାଁମୁହିଁ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। ସେହିପରି ଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ ସମୟରେ ପମ୍ପିଓ ଗଲଵାନ୍‌ ଉପତ୍ୟକାରେ ଚୀନ ସେନାର ମୁକାବିଲା କରି ପ୍ରାଣବଳି ଦେଇଥିବା ୨୦ ଜଣ ସହିଦ ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ରାଜିନାମା ବିଇସିଏ(ମୌଳିକ ବିନିମୟ ଓ ସହଯୋଗ ରାଜିନାମା) ସ୍ବାକ୍ଷରିତ ହୋଇଛି। ଫଳରେ ଭାରତକୁ ଆମେରିକାର ବିଶ୍ବ ଭୌ‌େଗାଳିକ ଓ ମହାକାଶ ମାନଚିତ୍ର ବ୍ୟବହାର କରିବାର ସୁଯୋଗ ମିଳିବ। ଭାରତ ପକ୍ଷରୁ ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ନେତୃତ୍ବ ନେଇଥିଲେ। ଦୁଇ ଦେଶ ମଧ୍ୟରେ ଏହି ବୈଠକ ପରିପ୍ରେକ୍ଷୀରେ ମୋଟ ୫ଟି ରାଜିନାମା ସ୍ବାକ୍ଷର ହୋଇଛି। ଆମେରିକାର ପ୍ରତିରକ୍ଷା ଏବଂ ବିଦେଶ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର